ଭୁବନେଶ୍ୱର: ରାଜ୍ୟରେ ପୁଣି ଫେରିବ ଶୀତ । ୬ ତାରିଖରୁ ଅର୍ଥାତ ଆସନ୍ତାକାଲି ଠାରୁ କ୍ରମାଗତ ଭାବରେ ତାପମାତ୍ରା ହ୍ରାସ ପାଇବ । ଯାହା ଫଳରେ ତାପମାତ୍ରା କମିବା ସହିତ ଶୀତ ବଢିବ । ବର୍ତମାନ ଓଡିଶା ଉପରେ ଏକ ପଶ୍ଚିମାଝଡ ପ୍ରଭାବ ରହଥିବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି । ଏହାର ପ୍ରଭାବରେ ୩ ଦିନ ହେବ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଥିବା ବେଳେ ଆସନ୍ତା କାଲିଠାରୁ ଶୀତ ବଢିବ । ଯାହା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୋମବାର ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, ନୂଆପଡ଼ା, ନବରଙ୍ଗପୁରରେ ରାତି ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ଭିତରେ ରହିବ । ମଙ୍ଗଳବାର ଫୁଲବାଣୀରେ ୮ ଡିଗ୍ରୀ, କୋରାପୁଟରେ ୯, ବୌଦ୍ଧ ଓ ଭବାନୀପାଟଣାରେ ୧୦, ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୧୧, କେନ୍ଦୁଝର, ଢେଙ୍କାନାଳ ଓ ମାଲକାନଗିରିରେ ରାତି ତାପମାତ୍ରା ୧୨ ଡିଗ୍ରୀ ରହିପାରେ ।
୮ ତାରିଖରେ ଅନୁଗୁଳ, ବୌଦ୍ଧ, ଫୁଲବାଣୀ, ଭବାନୀପାଟଣା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଟିଟିଲାଗଡ଼ ଓ ବଲାଙ୍ଗୀରରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହୋଇପାରେ । ଯାଜପୁର ଓ ନୟାଗଡ଼ରେ ଅତି ଘନ କୁହୁଡ଼ି ସହ ଖୋର୍ଦ୍ଧା, କଟକ, ଗଞ୍ଜାମ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ସୁନ୍ଦରଗଡ଼ରେ ଘନ କୁହୁଡ଼ି ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।