ଭୁବନେଶ୍ୱର: ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିଏମସି କଡ଼ା ପଦକ୍ଷେପ ନେଇଛି। ଏଣିକି ହୋଟେଲ, ଢ଼ାବା, ସ୍କୁଲରେ କେହି ବ୍ୟବହାର କରିବେନି ସଲିଡ଼ ଫୁଏଲ। ନିର୍ମାଣଧୀନ ଅଞ୍ଚଳରେ ଲାଗିବ ଗ୍ରୀନ କଭର। କୌଣସି ଅନିୟମିତତା ହେଲେ ବାତିଲ ହେବ ପ୍ଲାନ ଆପ୍ରୁଭାଲ। ବାୟୁ ଗୁଣବତ୍ତା ହ୍ରାସ କରିବା ପାଇଁ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛି ବିଏମସି।
ହୋଟେଲ, ଢାବା, କଲ୍ୟାଣ ମଣ୍ଡପ ଏବଂ ପିକନିକ୍ ସ୍ପଟରେ ଜାଳେଣି ଭାବରେ କୋଇଲା କିମ୍ବା କାଠ ବ୍ୟବହାର କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ସ୍ଥଳେ ରୋଷେଇ ସ୍ଥାନଗୁଡ଼ିକୁ ତୁରନ୍ତ ସିଲ୍ କରାଯିବ ବୋଲି ବିଏମସି ପରାମର୍ଶଦାତା କହିଛନ୍ତି। ତେବେ ଏଥିରୁ ଧାର୍ମିକ ଅନୁଷ୍ଠାନକୁ ବାଦ୍ ଦିଆଯାଇଛି। ଏହି ପ୍ରକାରର ଜାଳେଣି ସହରରେ ପ୍ରଦୂଷଣର ମାତ୍ରା ଅଧିକ ବଢ଼ାଉଥିବାରୁ ବିଏମସି ଏହି ପଦକ୍ଷେପ ନେଇଛି। କାରଣ ଏଠାରେ ଶୀତ ଋତୁରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) “ଖରାପ”ରୁ “ଅତି ଖରାପ” ସ୍ତରରେ ରହିଛି।
ସେହିପରି ଖୋଲା ସ୍ଥାନରେ ଅଳିଆ ଆବର୍ଜନ, ଶୁଖିଲା ପତ୍ର, କାର୍ଡବୋର୍ଡ କିମ୍ବା ଅନ୍ୟ କୌଣସି ଅଳିଆ ଜାଳିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ନିୟମ ଉଲ୍ଲଂଘନ କଲେ ୫,୦୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ସୂଚନା ଦିଆଯାଇଛି।
ଅଧିକ ପଢନ୍ତୁ: ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପୁଛି ଭୁବନେଶ୍ୱର, ଟ୍ୱିନ ସିଟିରେ ଲାଗିଲା କଟକଣା