ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ପରେ ସମସ୍ତ ଅନ୍ତେବାସୀଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ନବୋଦୟ ସମିତି କମିଶନର୍ ବିଦ୍ୟାଳୟ ଗସ୍ତ କରି ସ୍ଥିତି ପରଖିଛନ୍ତି । ଏହା ପରେ ପିଲାମାନଙ୍କୁ ଘରକୁ ନେଇଯିବାକୁ ନବୋଦୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ ସୃଷ୍ଟି ହୋଇଛି । ୩୦ ଜଣ ଅନ୍ତେବାସୀଙ୍କ ରକ୍ତ ନମୁନା ପଜିଟିଭ୍ ଆସିଛି । ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆବାସିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଘରକୁ ପଠାଇ ଦିଆଯାଇଥିବାବେଳେ ଜ୍ୱରରେ ପୀଡିତ ଅନ୍ୟ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ନମୁନା ସଂଗ୍ରହ କରାଯାଇଛି ।
ଏହି ଘଟଣା ପରେ ସ୍କୁଲରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଓ ୱାଟକୋ ଟିମ୍ ପହଞ୍ଚିଛନ୍ତି। ୱାଟକୋ ଟିମ୍ ଜଳ ନମୁନା ସଂଗ୍ରହ କରିଛନ୍ତି। କିଛି ଜଳର ନମୁନା ସେଠାରେ ପରୀକ୍ଷା କରାଯାଇଥିବାବେଳେ ସମସ୍ତ ନମୁନାକୁ ପରୀକ୍ଷା ପାଇଁ ଲାବ୍ରୋଟାରୀକୁ ପଠାଯାଇଛି।