କଟକ: ରାଜ୍ୟର ବିଭିନ୍ନ କୋର୍ଟରେ ବୋମା ଖବରକୁ ନେଇ ଆଜି ବଡ଼ ହଇଚଇ ଦେଖାଦେଇଥିଲା। କଟକ, ସମ୍ବଲପୁର ଓ ଦେବଗଡ଼ କୋର୍ଟରେ ବୋମା ଥିବା ନେଇ ଆସିଥିବା ଧମକକୁ ସାରା ରାଜ୍ୟ ହୁଳସ୍ତୁଳ ହୋଇଯାଇଥିଲା। ଇ-ମେଲ୍ ମାଧ୍ୟମରେ ଏସବୁ କୋର୍ଟକୁ ଧମକ ମିଳିଥିଲା। ଧମକ ପରେ ୩ଟି ଯାକ କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ବାଡ୍ ଦ୍ବାରା ଯାଞ୍ଚ କରାଯିବା ପରେ କୋର୍ଟ କାର୍ଯ୍ୟ ସ୍ବାଭବିକ ହୋଇଛି। ଏହାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହା ମିଛ ଧମକ ଥିଲା ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ପ୍ରାଥମିକ ଯାଞ୍ଚରୁ ଏହା ସ୍ପଷ୍ଟ ହୋଇଛି।ଏଥିରେ ବ୍ୟସ୍ତ ବିବ୍ରତ ହେବାର ନାହିଁ। ଏହା ପଛରେ ଯିଏ ଅଛି ତାକୁ ଧରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଆଇନ ମନ୍ତ୍ରୀ କହିଛନ୍ତି।
ଆଜି ସକାଳେ ରାଜ୍ୟର ୩ଟି କୋର୍ଟରେ ଇମେଲ ଜରିଆରେ ଧମକ ମିଳିଥିଲା । ଏପରିକି ଶୀଘ୍ର କୋର୍ଟ ଖାଲି କରାଯିବାକୁ ବି କୁହାଯାଇଥିଲା। ତୁରନ୍ତ ସୁରକ୍ଷାକର୍ମୀ ଓ ବମ୍ ସ୍କ୍ୱାଡ କୋର୍ଟ ଗୁଡ଼ିକରେ ପହଞ୍ଚି ତନାଘନା ଜୋରଦାର କରିଥିଲେ। ହାଇକୋର୍ଟରେ ଡିଜିପି ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ତଦନ୍ତ କରି ଅପରାଧୀଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବର୍ତମାନ ହାଇକୋର୍ଟ ପରିସର ସମୁର୍ଣ୍ଣ ସୁରକ୍ଷିତ ଅଛି। କୌଣସି ବୋମାର ଭୟ ନାହିଁ, ତନାଘନା ପରେ ପୋଲିସ୍ କମିସନର ଏସ ଦେବଦତ୍ତ ସିଂ ଏନେଇ ସୂଚନା ଦେଇଛନ୍ତି।
ଅନ୍ୟପଟେ ଏହି ଘଟଣାରେ ବୋମା ଧମକର ବିଧିବଦ୍ଧ ତଦନ୍ତ ଦାବି କରିଛି ହାଇକୋର୍ଟ ବାର ଆସୋସିଏସନ। ଏଭଳି ହୀନ କାର୍ଯ୍ୟରେ ଯେଉଁମାନେ ସମ୍ପୃକ୍ତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବାର୍ ତରଫରୁ ଦାବି ହୋଇଛି। ତେବେ ଜଜ, ଓକିଲ ଏବଂ ମହକିଲଙ୍କ ସୁରକ୍ଷା ଦୃଷ୍ଟିରୁ କିଛି ବଳିଷ୍ଠ ପଦକ୍ଷେପ ନିଆଯାଉ ବୋଲି ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ ଅଭିଜିତ ପଟ୍ଟନାୟକ ଦାବି କରିଛନ୍ତି।
ଅଧିକ ପଢନ୍ତୁ: ରାଜ୍ୟର ୩ଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇବାକୁ ଆସିଲା ଧମକ; ସମ୍ପୃକ୍ତ ଅପରାଧୀଙ୍କୁ ଖୋଜିବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ