ଭୁବନେଶ୍ୱର : ଶୀତ ପ୍ରକୋପରୁ ରକ୍ଷା ପାଇଁ ନନ୍ଦନକାନନରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ବିଭିନ୍ନ ଖୁଆଡ଼ ଓ ଏନକ୍ଲୋଜରରେ ନନ୍ଦନକାନନ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ସରୀସୃପ ଉଦ୍ୟାନ, ପକ୍ଷୀ ଖୁଆଡ଼, ସିମ୍ପାଞ୍ଜି ଓ ମାଙ୍କଡ ଖୁଆଡ଼ ଆଦି ସ୍ଥାନ ମାନଙ୍କରେ ଶୀତର ପ୍ରଭାବକୁ ରୋକିବାକୁ ବ୍ୟବସ୍ଥା କରାଯାଇଛି । ସେହିପରି ଏଣ୍ଡୁଅ ପ୍ରଜାତିର ଖୁଆଡ଼ ମଧ୍ୟରେ ନଡ଼ା, ବଲଭ ଓ ରୁମ୍ ହିଟର ଆଦିର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ସରୀସୃପ ଉଦ୍ୟାନ ମଧ୍ୟରେ ଡାଟା ଲଗର ଲଗାଯାଇଛି । ସରୀସୃପ ଉଦ୍ୟାନରେ ଥିବା ସାପମାନଙ୍କ ଖୁଆଡ଼ରେ ନଡ଼ା ଓ ୧୦୦ ୱାଟ୍ ବଲଭ ଲଗାଯାଇଛି। ଫଳରେ ଖୁଆଡ଼ ମଧ୍ୟରେ ଉଷ୍ମତା ବଜାୟ ରହିପାରିବ ।
ଏହା ସହ ଖୁଆଡ଼ର ତାପମାତ୍ରା ଓ ଆଦ୍ରତା ମନିଟରିଂ କରାଯାଇପାରିବ । ସେହିପରି ସିମ୍ପାଞ୍ଜି ଓ ମାଙ୍କଡ ମାନଙ୍କୁ କମ୍ବଳ ଦିଆଯାଇଛି । ସିମ୍ପାଞ୍ଜି ଖୁଆଡ଼ରେ ମଧ୍ୟ ହିଟର ଲଗାଯାଇଛି। ବର୍ତମାନ ଶୀତର ପ୍ରକୋପ ଅଧିକ ଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରୁମ୍ ହିଟର ବ୍ୟବହାର କରାଯାଉଛି । ଶୀତଦିନେ ଜୀବଜନ୍ତୁଙ୍କ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଖାଦ୍ୟ ସହ ଇମ୍ୟୁନୋ ବୁଷ୍ଟର ଓ ଅନ୍ୟ ଉପାଦାନ ମଧ୍ୟ ଦିଆଯାଉଛି । ଖୁଆଡ଼ରେ ଥିବା ଜଳ କୁଣ୍ଡର ଜଳକୁ ପ୍ରତିଦିନ ବଦଳାଯାଉଛି। ସ୍ୱଚ୍ଛ ଓ ପରିଷ୍କାର ଜଳ ଜୀବଜନ୍ତୁଙ୍କୁ ପ୍ରଦାନ କରାଯାଉଥିବା କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।