ମୟୂରଭଞ୍ଜ: ଜିଲ୍ଲା ସୀମାବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ରାଜ୍ୟର ବେନିସାଗରରେ ଦନ୍ତା ହାତୀ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ମଧ୍ୟ ଦନ୍ତା ହାତୀ ଆକ୍ରମଣରେ ୩ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି ।
ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଳକ ରରୁଆଁ ପଞ୍ଚାୟତ ସୀମାଠାରୁ ମାତ୍ର ୫୦ ମିଟର ଦୂରରେ ଝାଡ଼ଖଣ୍ଡ ମଝିଗାଁ ବ୍ଳକ ବେନିସାଗର ଗ୍ରାମରେ ଗୋଠ ଛଡ଼ା ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଛି । ଆଜି ସକାଳ ୭ଟା ୧୫ ମିନିଟ ସମୟ ଜଣେ ବାଳକକୁ ଏକ ଦନ୍ତା ହାତୀ ଆକ୍ରମଣ କରିବାରୁ ମୃତ୍ୟୁ ହୋଇଥିଲା । ଏହା ପରେ ଉକ୍ତ ହାତୀଟି ୮ଟାରେ ପ୍ରକାଶ ମାଲୁଆ ନାମକ ଜଣେ ବ୍ୟକ୍ତିଙ୍କୁ ପଛରୁ ଆକ୍ରମଣ କରିଥିଲା । ମାଲୁଆଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଥିଲା ଦନ୍ତା । ଫଳରେ ତାଙ୍କର ବି ମୃତ୍ୟୁ ହୋଇଥିଲା । ସେହିପରି ଅପରାହ୍ନ ଗୋଟାଏ ସମୟରେ ଝାଡ଼ଖଣ୍ଡ ବନ କର୍ମଚାରୀ ଜଣଙ୍କ ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ରରୁଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ଉଲ୍ଲେଖ ଯୋଗ୍ୟ, ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଏବଂ ରାମଗଡ଼ ଜିଲ୍ଲାରେ ଏହି ହାତୀ ଆକ୍ରମଣରେ ଗତ ୨୧ ଦିନ ମଧ୍ୟରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚଳିତ ମାସରେ ଏଯାବତ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତ ମଙ୍ଗଳବାର ଏବଂ ବୁଧବାର ହାତୀର ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ଗୋଟିଏ ପରିବାରରେ ୫ ଜଣ ସଦସ୍ୟ ସାମିଲ ଥିଲେ ।
ସେପଟେ ଏହି ଗୋଠ ଛଡ଼ା ହାତୀ ଯେପରି ଓଡ଼ିଶା ସୀମାରେ ପ୍ରବେଶ ନ କରେ ସେଥିପାଇଁ ବନ ବିଭାଗ ସଜାଗ ରହିଛି । ବନ କର୍ମଚାରୀଙ୍କୁ ସୀମାରେ ମୁତୟନ କରାଯାଇଛି ।