ପୁରୀ: ଭକ୍ତ ନିବାସ ଗାଡ଼ି ରହଣି ଭଡ଼ା ଅପରିବର୍ତ୍ତିତ ରହିବ ବୋଲି ସ୍ପଷ୍ଟ କରିଛନ୍ତି ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ । ଭକ୍ତ ନିବାସ ପାର୍କିଂ ଫି ହ୍ରାସ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
ଶ୍ରୀମନ୍ଦିର ଭକ୍ତ ନିବାସରେ ଗାଡ଼ି ପାର୍କିଂ ପାଇଁ ଦୈନିକ ୫୦୦ ଟଙ୍କା ଭଡ଼ା ଆଦାୟ କରାଯାଉଛି । ତେବେ ଏହି ଫିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ପାର୍କିଂ ଫିକୁ ନେଇ ଅସନ୍ତୋଷ ଦେଖାଯିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଶୀଳନ କରାଯାଇଥିଲା । ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ ଅଧିକ ଗାଡ଼ି ଆସେ ନାହିଁ । ଦୈନିକ ୪ରୁ ୫ଟି ଗାଡ଼ି ରହୁଛି । ଯେଉଁ ଶ୍ରଦ୍ଧାଳୁମାନେ ବାହାରୁ ଆସୁଛନ୍ତି ସେମାନେ ବିଶେଷଭାବେ ଚାରି ଚକିଆ ଗାଡ଼ି ଆଣୁ ନାହାଁନ୍ତି । ସେମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଭକ୍ତ ନିବାସ ରୁମ୍ ଭଡ଼ା ଦିଆଯାଉଛି । ଯଦି ଅନ୍ୟ ହୋଟେଲ୍ ଅନୁସାରେ ଟଙ୍କା ନିଆଯିବ କେହି ପସନ୍ଦ କରିବେ ନାହିଁ । ଯେଉଁମାନେ ନିଜ ଗାଡ଼ିରେ ଆସୁଛନ୍ତି ସେମାନେ ଦୈନିକ ୫୦୦ ଟଙ୍କା ଦେବା ବାଧ୍ୟତା ମୂଳକ । ତେବେ ଭକ୍ତ ଚାହିଁଲେ ନିଜ ଇଚ୍ଛା ଅନୁସାରେ ଅନ୍ୟ ସ୍ଥାନରେ ଗାଡ଼ି ରଖି ଭକ୍ତ ନିବାସରେ ରହିପାରିବେ । କିନ୍ତୁ ଅନ୍ୟ ବାହାର ଲୋକ ଭକ୍ତ ନିବାସରେ ଗାଡ଼ି ପାର୍କିଂ କରିପାରିବେ ନାହିଁ । ଯଦି ସେମାନେ ଟଙ୍କା ବଞ୍ଚାଇବାକୁ ଚାହାଁନ୍ତି ଅନ୍ୟ ପାର୍କିଂ ସ୍ଥଳରେ ୨୪୦ ଟଙ୍କା ଦେଇ ଗାଡ଼ି ପାର୍କିଂ କରି ପାରିବେ ।