ଭୁବନେଶ୍ୱର: ରାଜଧାନୀରେ ବୁଲା କୁକୁରଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। କୁକୁରଙ୍କ ଉତ୍ପାତ ଯୋଗୁଁ ସାଧାରଣ ଲୋକଟିଏ ରାସ୍ତାରେ ଯିବାକୁ ଭୟ କରୁଛି। ରାସ୍ତାଘାଟଠୁ ଆରମ୍ଭ କରି ଗଳିକନ୍ଦି ଯାଏଁ ସବୁଠି ବୁଲା କୁକୁରମାନେ ରାଜ୍ ଚଳାଇଛନ୍ତି। ଯାହାକୁ ଦେଖୁଛନ୍ତି ତାକୁ ଗୋଡେଇ ଗୋଡେଇ ଆକ୍ରମଣ କରୁଛନ୍ତି। ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା’ ଆସ କଲାବେଳେ ଏବେ କୁକୁର କାମୁଡ଼ା ଓ ଆକ୍ରମଣର ଶିକାର ହେଉଛନ୍ତି।
ପୁରୁଣା ଭୁବନେଶ୍ୱର ଠୁ ନେଇ ପଳାଶୁଣୀ, ମଂଚେଶ୍ୱର ଠୁ ନେଇ ପଟିଆ ରାଜଧାନୀରପ୍ରାୟ ସବୁ ଅଞ୍ଚଳର ଲୋକେ ଏବେ ବୁଲା କୁକୁରକୁ ନେଇ ଅତିଷ୍ଠ ହୋଇଗଲେଣି। ସନ୍ଧ୍ୟା ପରେ କୁକୁରମାନଙ୍କର ଦୈାରାତ୍ମ୍ୟ ଅଧିକ ବଢିଯାଉଛି। ବିଶେଷକରି ପଥଚାରୀ ଓ ବାଇକ ଚାଳକମାନଙ୍କୁ ଦେଖି କାମୁଡିବା ପାଇଁ ଗୋଡାଉଛନ୍ତି। କେବଳ ସେତିକି ନୁହେଁ ବିଳମ୍ବିତ ରାତିରେ ଏହି ବୁଲା କୁକୁରମାନଙ୍କର ବିକଟାଳ ଧ୍ୱନୀ ପାଇଁ ଲୋକମାନେ ରାତିରେ ଶାନ୍ତିରେ ସୋଇପାରୁନାହାନ୍ତି। ଏହାବ୍ୟତୀତ ଏମାନେ ରାସ୍ତାରେ ଏଣେତେଣେ ମଳତ୍ୟାଗ କରି ସହରକୁ ପ୍ରଦୂଷିତ କରୁଛନ୍ତି।
ଗତ କିଛିଦିନ ହେବ କୁକୁରଙ୍କ ଉପଦ୍ରବ କ୍ରମାଗତ ଭାବେ ବୃଦ୍ଧି ପାଇଛି। ହଠାତ୍ ଗାଡ଼ି ଆଗକୁ ଆସିଯିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। କୁକୁର କାମୁଡ଼ାରେ ଶିକାର ହୋଇ ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ବଢୁଛି ଜଳାନ୍ତକ ରୋଗୀଙ୍କ ସଂଖ୍ୟା।ହସ୍ପିଟାଲରେ କର୍ମଚାରୀ କମ ସଂଖ୍ୟକ ଥିବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ରୋଗୀ। ଦୈନିକ ୧୦୦ରୁ ୧୫୦ କୁକୁର କାମୁଡ଼ା ରୋଗୀ ଆସୁଥିବା ନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ରୁପୁଭାନୁ ମିଶ୍ର ସୂଚନା ଦେଇଛନ୍ତି। ତେବେ ମାସେ ପୂର୍ବରୁ ଏହି ସଂଖ୍ୟା ୩୦ ରୁ ୪୦ ମଧ୍ୟରେ ଥିବା ବେଳେ ତାହା ଏବେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟ ମାସେ ହେବ ଏହି ସଂଖ୍ୟା ୧୫୦ ପାର୍ କରିଛି, ଯାହା ଚିନ୍ତାର କାରଣ ପାଲଟିଛି।
କୁକୁରଙ୍କ ବନ୍ଧ୍ୟାକରଣ ସଠିକ ମାତ୍ରାରେ ହୋଇପାରୁ ନଥିବାରୁ ଏଥିପାଇଁ ଦିନକୁ ଦିନ ରାଜଧାନୀରେ କୁକୁର ସଂଖ୍ୟା ବଢ଼ିବାରେ ଲାଗିଛି। ହାଇକୋର୍ଟଙ୍କ ରୋକ୍ରୁ ଜୁଲାଇ ୧୦ରୁ ଅସ୍ତ୍ରୋପଚାର ବନ୍ଦ ରହିଛି। ଏହାସହ ରାଜ୍ୟରେ ଆନିମଲ ବାର୍ଥ କଣ୍ଟ୍ରୋଲ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗା ଯାଇଛି। ଫଳରେ କୁକୁରଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି। ଏବେ ସହରରେ ୬୦ହଜାରରୁ ଊର୍ଦ୍ଧ୍ୱ କୁକୁର ରହିଛନ୍ତି। ବିଏମ୍ସି ପୂର୍ବରୁ ଦିନକୁ ୨୦ରୁ ୨୫ଟି ହିସାବରେ ମାସକୁ ୫ରୁ ୬ଶହ କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରୁଥିବାବେଳେ ଏବେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଏକ ପ୍ରକାର ଆତଙ୍କ ରଚିଛନ୍ତି ବୁଲା କୁକୁର।