ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଆସିଛି ବଡ ଖବର। ଆସନ୍ତା ୧୭ରେ ରତ୍ନଭଣ୍ଡାର ଗଣତିମଣତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରତ୍ନ ଅଳଙ୍କାର ଗଣତି ମଣତି ନେଇ ଆଲୋଚନା ହେବ। ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ପ୍ରସ୍ତୁତ ଏସଓପି ଉପରେ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି।
ଏଥିସହିତ ଖୁବଶୀଘ୍ର ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି, ଭକ୍ତଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ସରିବ ମନ୍ଦିର ସଂରକ୍ଷଣ କାର୍ଯ୍ୟ। ମନ୍ଦିର ସଂରକ୍ଷଣ କାର୍ଯ୍ୟ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସେ ଆହୁରି କହିଛନ୍ତି ଯେ, ସର୍ବସାଧାରଣ ଦର୍ଶନ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। ତେବେ ଚଳିତ ମାସ ବସନ୍ତ ପଞ୍ଚମୀରୁ ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିପାରେ ବୋଲି ସେ ସଂକେତ ଦେଇଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାର ପ୍ରଥମ ୩ ଦିନରେ ବିନା ଶୁଳ୍କରେ ଦର୍ଶନ କରିବେ ଭକ୍ତ। ପରେ ୧୦ଟଙ୍କା ଟିକଟ କାଟି ଦର୍ଶନ କରିବେ ଭକ୍ତ। ନାଟମଣ୍ଡପରେ ଶୀତତାପ ନୀୟନ୍ତ୍ରିତ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ସାରିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
ଅଧିକ ପଢନ୍ତୁ: କମିବ ନାହିଁ ଭକ୍ତ ନିବାସ ପାର୍କିଂ ଫି