ଭୁବନେଶ୍ବର: ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ପ୍ରବଳ ଶୀତରେ ଥରୁଛି। ରାଜ୍ୟର ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ଏବେ ପ୍ରବଳ ଶୀତର ଲହରୀ ଜାରି ରହିଛି। ଅନେକ ସ୍ଥାନରେ ପାରଦ ବହୁତ ତଳକୁ ଖସିଛି। ଶୀତ ପାଇଁ ଭାରତୀୟ ପାଣିପାଗ ବିଭାଗ ଅନେକ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରିଛି।
ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ସକାଳ ୫ଟା ୩୦ରେ ୧୦ ଡିଗ୍ରୀ ଛୁଇଁଛି ରାଜଧାନୀର ପାରଦ। ଗତ ୪ ଦିନ ତୁଳନାରେ ରାଜଧାନୀରେ ଆଜି ସବୁଠୁ କମ୍ ତାପମାତ୍ରା ରେକର୍ଡ ହୋଇଛି। ସେପଟେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ତାପମାତ୍ରା ଶୂନ ଡିଗ୍ରିକୁ ଖସିଛି। ଯାହା ରାଜ୍ୟର ସବୁଠାରୁ କମ୍। ସେହିପରି ଝାରସୁଗୁଡ଼ାରେ ଆଜି ୬.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଜଗତସିଂହପୁର, କଟକ, ବାଲେଶ୍ୱର, ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ସୋନପୁର, ନବରଙ୍ଗପୁର ଏବଂ କୋରାପୁଟ ଭଳି ଜିଲ୍ଲାରେ ଅଧିକ ଶୀତ ଲହରୀ ଅଧିକ ଅନୁଭୂତ ହେଉଛି।
ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନ କୁହୁଡ଼ି କଲବଲ କରୁଛି। ଶୀତ ସାଙ୍ଗକୁ କୋହଲା ପବନ ଆଉ ତା ସାଙ୍ଗକୁ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରାୟ ଦିନ ୧୧ଟା ଯାଏଁ କୁହୁଡ଼ି ଲାଗି ରହୁଛି। ତେଣୁ ଚାଷ କାମ ସହ ଯାତାୟତ ଏବଂ ସକାଳୁ ଅଫିସ ଯାଉଥିବା ଲୋକଙ୍କ ପାଇଁ ବି ସମସ୍ୟା ସୃଷ୍ଟି ହେଉଛି। ଘନ କୁହୁଡ଼ି କାରଣରୁ ଦୃଶ୍ୟମାନ କମିଯିବାରୁ ରାସ୍ତାଘାଟ ଠିକରେ ଦେଖାଯାଉନି। ଯାହା ଫଳରେ ଦୁର୍ଘଟଣା ସଂଖ୍ୟା ବି ବଢ଼ିବାରେ ଲାଗିଛି। ଆଗାମୀ ୪ଦିନ ଯାଏ ରହିବ ଶୀତ ପ୍ରଭାବ। ରାତି ତାପମାତ୍ରାରେ ୨-୪ ଡ୍ରିଗ୍ରୀ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଯାହା ଫଳରେ ରାଜ୍ୟରେ ଶୀତ ଆହୁରି ବଢ଼ିବ। ଅଭ୍ୟାନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ରହିବ ଶୀତ ପ୍ରକୋପ।
ଅଧିକ ପଢନ୍ତୁ: କାନପୁରରେ ଘନ କୁହୁଡ଼ି ଯୋଗୁଁ ୪୬ ରୁ ଅଧିକ ଟ୍ରେନ ଘଣ୍ଟା ଘଣ୍ଟା ବିଳମ୍ବ