ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ମନ୍ତ୍ରୀମଣ୍ଡଳର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଆହୂତ ୩୪ତମ କ୍ୟାବିନେଟରେ ୮ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ପ୍ରଦାନ କରିଛନ୍ତି ।
ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅନୁମୋଦିତ ହୋଇଛି । ଏହି ପ୍ରକଳ୍ପ ପାଇଁ ୧୧୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ବା ଏଡିବିର ସାହାଯ୍ୟରେ ହେଉଥିବା ପ୍ରକଳ୍ପରେ ୫୭୦ କୋଟି ଟଙ୍କା ଋଣ ଆକାରରେ ନିଆଯାଇଥିବାବେଳେ ବାକି ଅର୍ଥ ରାଜ୍ୟ ସରକାରଙ୍କ ନିଜସ୍ୱ ରାଜକୋଷରୁ ଖର୍ଚ୍ଚ ହେବ । ରାଜ୍ୟର ତିନି ପ୍ରମୁଖ ସହର ଯଥା ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁରରେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ ସ୍ଥାପନ କରାଯିବ । ଭୁବନେଶ୍ୱର ହେଉଥିବା ଦକ୍ଷତା କେନ୍ଦ୍ରରେ ଆଇଟି, ଆଇଟିଇଏସ୍ ସେମିକଣ୍ଡକ୍ଟର ଏବଂ ଏରୋସ୍ପେସ୍ ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ବ୍ରହ୍ମପୁର ବିଶ୍ୱ ଦକ୍ଷତା କେନ୍ଦ୍ରରେ ହସ୍ପଟାଲିଟି ଏବଂ ମେରିନରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ପ୍ରକଳ୍ପରେ ୫ଟି ଆଇଟିଆଇକୁ ‘ଉତ୍କର୍ଷ ଆଇଟିଆଇ’ ଭାବେ ବିକଶିତ କରାଯିବ । ସିଙ୍ଗାପୁରର ଆଇଟିଇଇଏସ୍ ସହିତ ଚୁକ୍ତି କରାଯିବ । ଯଦ୍ୱାରା ରାଜ୍ୟର ୬୦ ହଜାର ଯୁବପୀଢ଼ି ଉପକୃତ ହେବେ । ଏଥିରେ ଦିବ୍ୟାଙ୍ଗ ଓ ମହିଳାଙ୍କୁ ସାମିଲ କରାଯିବାକୁ ପ୍ରାବଧାନ ରହିଛି ।
ଶିଳ୍ପ ବିଭାଗର ଟାଟା ପାୱାରର ଟାଟା ପାୱାର ରିନିଓବଲ୍ ଏନର୍ଜିର ମାନ୍ୟୁଫାକ୍ଚରିଂ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗୋପାଳପୁରରେ ଟାଟା ସୋଲାର ସେଟ୍ ଉତ୍ପାଦନ ହେବ । ଏଥିପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥିରେ ୫୦୦୦ ହଜାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାର ଆଶା ରଖିଛନ୍ତି ।
ସେହିପରି ରାଜ୍ୟ ପର୍ଯ୍ୟଟନ ବିକାଶ ପାଇଁ ଓଡ଼ିଶା ପର୍ଯ୍ୟଟନ ନୀତି (୨୦୨୨)ରେ ସଂଶୋଧନ କରାଯାଇଛି । ପ୍ରଥମ ସଂଶୋଧନ ହେଲା, ପୂର୍ବରୁ ୫୦ କୋଠରୀ ବିଶିଷ୍ଟ ହୋଟେଲକୁ ସବସିଡ଼ି ପ୍ରଦାନ କରାଯାଉଥିବାବେଳେ ଏବେ ଏହାକୁ ହ୍ରାସ କରାଯାଇ ୧୦ଟି ରୁମ୍ ରଖାଯାଇଛି । ଏଥିରେ ଅନେକ ଛୋଟ ଛୋଟ ହୋଟେଲ୍ ବ୍ୟବସାୟୀ ଲାଭବାନ ହେବେ । ଦ୍ୱିତୀୟରେ ପୂର୍ବରୁ ହୋଟେଲ ରୁମ ବେଡ୍ ସଂପ୍ରସାରଣ ଆଇନରେ ସଂଶୋଧନ କରାଯାଇଛି । ମହଜୁତ ଥିବା ବେଡ୍ ସଂଖ୍ୟାର ୨୫ ପ୍ରତିଶତ ସଂପ୍ରସାରଣ କରିଲେ ସେମାନଙ୍କୁ ସବସିଡି ପାଇଁ ଯୋଗ୍ୟ ବିବେଚନା କରାଯିବ । ସେହିପରି ପର୍ୟ୍ୟଟନ ସ୍ପେଶାଲ୍ ଜୋନରେ ପୂର୍ବରୁ ପର୍ଯ୍ୟଟନ ସ୍ପେଶାଲ୍ ଜୋନରେ କେବଳ ଚିଲିକା, କେବିକେ (କଳାହାଣ୍ଡି-ବଲାଙ୍ଗୀର-କୋରାପୁଟ), କନ୍ଧମାଳ ଓ ଗଜପତି ଥିବାବେଳେ ଆଜିର କ୍ୟାବିନେଟରେ ହୀରାକୁଦ, ସାତକୋଶିଆ, ରତ୍ନଗିରି, ଉଦୟଗିରି, ଲଳିତଗିରି, ଭିତରକନିକା, ନୃସିଂହନାଥ ଏବଂ ହରିଶଙ୍କର ପର୍ୟ୍ୟଟନ ସ୍ଥଳୀକୁ ସାମିଲ କରାଯାଇଛି । ଏହି ଅଞ୍ଚଳରେ ଥିବା ହୋଟେଲ୍ ଗୁଡ଼ିକୁ ୩୦ ପ୍ରତିଶତ ସହିତ ଅଧିକ ୧୦ ପ୍ରତିଶତ ଅର୍ଥାତ ୪୦ ପ୍ରତିଶତ ସବସିଡ଼ି ମିଳୁଛି । ସେହିପରି ମହିଳା, ଦିବ୍ୟାଙ୍ଗ, ଅନୂସୂଚିତ ଜାତି ଓ ଜନଜାତି ଉଦ୍ୟୋଗ ପତିଙ୍କୁ ୪୦ ପ୍ରତିଶତ ସବସିଡ଼ି ପ୍ରଦାନ କରାଯିବ ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ‘ଜଳ ଜୀବନ ମିଶନ’ରେ କେନ୍ଦ୍ର ସରକାର ଅର୍ଥ ବିଳମ୍ବ ହେଲେ ରାଜ୍ୟ ସରକାର ଅର୍ଥ ରାଶି ଦେବେ । ଯେତେବେଳେ କେନ୍ଦ୍ରରୁ ଟଙ୍କା ଆସିବ ତାହା ରାଜ୍ୟ ସରକାରଙ୍କ ରାଜକୋଷକୁ ଯିବ । ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ତିନୋଟି ପ୍ରସ୍ତାବ ପାରିତ ହୋଇଛି । ପିଡିଏସ୍ କଣ୍ଟ୍ରୋଲ ଅର୍ଡର୍ ଆଇନରେ ସଂଶୋଧନ କରାଯାଇଛି । ପ୍ରତ୍ୟେକ ପାଞ୍ଚ ବର୍ଷରେ ଇ-କେୱାଇସି କରାଯିବ । ସେହିପରି ପରିବାରର ୧୮ ବର୍ଷ ବୟସ ପୂର୍ବରୁ ଅଲଗା କାର୍ଡ ମିଳିବ ନାହିଁ । ୫ ବର୍ଷ ତଳକୁ ଶିଶୁ ଥିଲେ ସେମାନଙ୍କ ଆଧାରକାର୍ଡ ବ୍ୟବହାର କରିପାରିବେ ।