ଖୋର୍ଦ୍ଧା: ଜିଲ୍ଲାର ଦୁଇଟି ସ୍ଥାନରେ ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ସଦର ଥାନା ୧୬ ନମ୍ୱର ଦଧିମାଛଗାଡିଆ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଜଣ ସାଙ୍ଗର ମୃତ୍ୟୁ ହୋଇଛି । ମୃତ ଯୁବକ ଦୁଇ ଜଣ ହେଲେ ବାଣପୁର ଅଞ୍ଚଳର ବିକାଶ ବରାଳ ଏବଂ ଶୁଭ୍ରାଂଶୁ ସୁନ୍ଦରାୟ ।
ଏହି ଦୁଇ ସାଙ୍ଗ ଭୁବନେଶ୍ୱରରେ ଏକ ପରୀକ୍ଷା ଦେବାକୁ ଆସୁଥିଲେ । ବାଣପୁର ସାନହନ୍ତୁଆଡରୁ ଭୁବନେଶ୍ଵରକୁ ଏକ ବାଇକରେ ଯାଉଥିଲେ। ପରୀକ୍ଷା ସକାଳ ୯ଟା ବେଳେ ଦେବାର ଥିଲା । ଭୋର ପ୍ରାୟ ୪ଟାରେ ଘରୁ ବାହାରିଥିଲେ । ଭୋର ୫ଟା ସମୟରେ ସଦରଥାନା ୧୬ ନମ୍ୱର ଦଧିମାଛଗାଡିଆ ଛକ ନିକଟରେ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।
ସେହିପରି ଜଟଣୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଛୁଆ ଆଖି ଆଗରେ ମାଆର ଜୀବନ ଚାଲିଯାଇଛି । ମାଆ ଏବଂ ପୁଅ ଗୋଟିଏ ସ୍କୁଟିରେ ଯାଉଥିବାବେଳେ ଏନ୍ଏଚ୍ ୧୬ରେ ଇନଫୋଭ୍ୟାଲି ଥାନା ଗଙ୍ଗପଡ଼ାରେ ନିକଟରେ ଗାଡ଼ିରୁ ପଡ଼ିଯାଇଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏକ ହାଇୱା ପଛପଟୁ ଆସି ଚଢ଼ିଯିବାରୁ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଛି । ପୁଅକୁ ଗୁରୁତର ଅବସ୍ଥାରରେ ଏମ୍ସରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।