ଜଳେଶ୍ୱର: ପୁଅର ଧର୍ମ ପାଇଁ ମୃତ ବାପାଙ୍କର ହୋଇପାରୁନି ଅନ୍ତିମ ସଂସ୍କାର । ବାପାଙ୍କୁ ଖ୍ରୀଷ୍ଟ ଧର୍ମ ଅନୁସାରେ କବର ଦିଆଯିବ ନାଁ ଆଦିବାସୀ ପରମ୍ପରା ଅନୁଯାୟୀ ପୋଡ଼ା ଯିବ । ଯାହାକୁ ନେଇ ଲାଗି ରହିଛି ବିବାଦ । ଫଳରେ ତିନି ଦିନ ହେବ ପଡ଼ି ରହିଛି ମୃତ ଦେହ । ବାଲେଶ୍ୱର ଜିଲ୍ଲା ରାଇବଣିଆ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ରାଇବଣିଆ ଥାନା କାଳିକ ପଞ୍ଚାୟତର ରଙ୍ଗମାଟିଆ ଗ୍ରାମର ଛୁଟା ହାଁସଦା (୯୫)ଙ୍କର ଗତ ବୁଧବାର ମଧ୍ୟ ରାତ୍ରରେ ଦେହାନ୍ତ ହୋଇଥିଲା । ସାନ ପୁଅ ଭୀମ ହାଁସଦା ଏବଂ ତାଙ୍କ ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି । ସେ ନିଜ ବାପାଙ୍କୁ ବାଡିରେ କବର ଦେବା ଓ ଖ୍ରୀଷ୍ଟ ଧର୍ମ ଅନୁଯାଇ ଅନ୍ତ୍ୟେଷ୍ଟି କ୍ରିୟା କରିବାକୁ କହୁଛନ୍ତି । କିନ୍ତୁ ଗ୍ରାମର ଆଦିବାସୀ ସମ୍ପ୍ରଦାୟ ଏହାକୁ ବିରୋଧ କରିଛନ୍ତି । ଯାହାକୁ ନେଇ ମୃତ ବୃଦ୍ଧଙ୍କ ସାନ ପୁଅ ରାଇବଣିଆ ଥାନାର ଦ୍ଵାରସ୍ଥ ହୋଇଥିଲେ । ଥାନାରୁ ଫେରି ନିଜ ବାଡିରେ କବର ଦେବାର ପ୍ରଶାସନଠୁ ଅନୁମତି ପାଇଁ ଘରବାଡ଼ି ପ୍ରମାଣପତ୍ର ନକଲ ରାଜସ୍ଵ ଅଧିକାରୀଙ୍କୁ ମଧ୍ୟ ପଠାଇଥିଲେ । ତଥାପି ଗ୍ରାମବାସୀ ଶବ ଶତ୍କାର କରିବାକୁ ଦେଉ ନାହାଁନ୍ତି । ଭୀମ ହାଁସଦା ଦୁଇ ଆଡ଼ୁ ସରକାରୀ ସୁବିଧା ସୁଯୋଗ ନେଉଥିବାର କହିଛନ୍ତି ଗାଁ ମୁଖିଆ ସମୂରାଇ ହାଁସଦା । ଏହା ଦ୍ୱାରା ଆଦିବାସୀ ପରମ୍ପରା ନଷ୍ଟ ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ତେବେ ଖବର ପାଇ ଜଳେଶ୍ୱର ଏସଡିପିଓ ସୁବ୍ରତ କୁମାର ବେହେରା ଗ୍ରାମବାସୀଙ୍କୁ ବୁଝାସୁଝା କରିଛନ୍ତି । ଗ୍ରାମରେ ପୋଲିସ ମଧ୍ୟ ମୁତୟନ କରାଯାଇଛି । ତଥାପି କୌଣସି ସମାଧାନ ସୂତ୍ର ବାହାରି ନ ପାରିବାରୁ ଘରେ ଶବ ପଡ଼ିରହିଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।