ଭୁବନେଶ୍ୱର : ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ ଦେଖିବାକୁ ମିଳିଛି । ଦିନକୁ ଦିନ ଖସୁଛି ପାରଦ, ବଢୁଛି ଶୀତ । ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ । ଗତ ଦୁଇ ଦିନଧରି ଶିମିଳିପାଳରେ ଶୂନ୍ ଡିଗ୍ରୀକୁ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଜି -୧ ଡିଗ୍ରୀକୁ ଖସିଛି ପାରଦ । ଚହଲା ଏବଂ ଗୁଡ଼ିଗୁଡ଼ିଆରେ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ତୁଷାର ପାତ ଦେଖିବାକୁ ମିଳିଛି ।
ସେପଟେ ଝାରସୁଗୁଡ଼ାରେ ପୁଣି ରେକର୍ଡ ଥଣ୍ଡା । ସକାଳ ୫ଟା ସୁଦ୍ଧା ୫.୬ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା ତାପମାତ୍ରା । ରାଜଧାନୀରେ ପାରଦ ୧୧.୬ ଡିଗ୍ରୀ ଛୁଇଁଛି। ଆହୁରି ୧୫ ଦିନ ଯାଏ ପାଗ ଶୁଖିଲା ରହିବ । ଆଜି ଶୀତଲହରୀ ପାଇଁ ୧୧ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୨ତାରିଖରୁ ପୁଣି ବଢିବ କୁହୁଡ଼ି । ୧୪ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ସହ କିଛି କିଛି ସ୍ଥାନରେ ଘନକୁହୁଡ଼ିର ସମ୍ଭାବନା ରହିଛି। ସେହିପରି ଚାହାଲାରେ ୨ ଡିଗ୍ରୀ,ବରେହିପାଣିରେ୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ମୟୂରଭଞ୍ଜର ଅନ୍ୟ ଅଞ୍ଚଳ ଗୁଡିକରେ ବି ପାରଦ ଖସିଛି । ଦିନ ହେଉ ଅବା ରାତି ଅସହ୍ୟ ଜାଡ଼ରେ ପ୍ରଭାବିତ ହେଇଛି ଜନଜୀବନ ।