ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାର ନିଆଁ କ୍ରିକେଟ୍ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ବିସିସିଆଇ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲ୍ ୨୦୨୬ରୁ ବହିଷ୍କାର କରାଯିବା ପରେ ଭାରତ ଓ ବାଂଲାଦେଶ କ୍ରିକେଟ୍ ସଂପର୍କ ତିକ୍ତତାପୂର୍ଣ୍ଣ ରହିଛି । କେକେଆର ରେହମାନଙ୍କୁ ୯.୨ କୋଟିରେ ନିଜ ଦଳରେ ସାମିଲ କରିଥିଲା । ହେଲେ ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ଭାରତରେ ବିରୋଧର ସ୍ୱର ଉଠିଲା । ଏସବୁ ଭିତରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ତେବେ ଏହି ଖବରର ସତ୍ୟତା କେତେ ରହିଛି ତାହା ମୁସ୍କିଲ ।
ଜନଭାବନାକୁ ଦୃଷ୍ଟିରେ ରଖି ବିସିସିଆଇର ନିର୍ଦ୍ଦେଶକ୍ରମେ କେକେଆର ମୁସ୍ତାଫିଜୁର ରେହମାନଙ୍କୁ ଦଳରୁ ବାହାର କରିଥିଲା । ଏହାର ପ୍ରତିବାଦରେ ବାଂଲାଦେଶ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ଭାରତକୁ ନିଜ ଦେଶର ଖେଳାଳିଙ୍କୁ ନ ପଠାଇବାକୁ ନିଷ୍ପତ୍ତି ନେଇଛି । ଏପରିକି ଆଇପିଏଲର ପ୍ରସାରଣ ଉପରେ ମଧ୍ୟ ରୋକ୍ ଲଗାଇଛି ବାଂଲାଦେଶ ସରକାର । ଏହି ସବୁ ଘଟଣା ମଧ୍ୟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି । ରିପୋର୍ଟରେ କୁହାଯାଇଛି ଯେ, ବିସିସିଆଇ ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରେ ପ୍ରତ୍ୟାବର୍ତ୍ତନର ଅଫର ଦେଇଛି । ଏବେ ଏହି ରିପୋର୍ଟ ଉପରେ ବିସିବି ସଭାପତି ଅମୀନୁଲ ଇସ୍ଲାମ ବୁଲବୁଲ ପ୍ରତିକ୍ରିୟା ଦେଇଛନ୍ତି ।
ଅଜକେର ଖବର କାଗଜ ମୁତାବକ, ଅମୀନୁଲ ଇସଲାମ ବୁଲବୁଲ କହିଛନ୍ତି, ମୁସ୍ତାଫିଜରଙ୍କୁ ନେଇ ବିସିସିଆଇ ସହ କୌଣସି ଲିଖିତ କିମ୍ବା ମୌଖିକ ଆଲୋଚନା ହୋଇ ନାହିଁ । ଏହି ବିଷୟରେ ନିଜ ବୋର୍ଡର କୌଣସି ସଦସ୍ୟ ସହ ଆଲୋଚନା ହୋଇନାହିଁ । ଏହି ଖବରରେ କୌଣସି ସତ୍ୟତା ନାହିଁ । ବିସିବି ସଭାପତିଙ୍କ ଏହି ବୟାନରେ ସ୍ପଷ୍ଟ ହୋଇଛି ଯେ, ବିସିସିଆଇ ମୁସ୍ତାଫିଜୁର ରେହମାନଙ୍କୁ କୌଣସି ଅଫର ଦେଇ ନାହିଁ । ବୋର୍ଡ ନିଜ ନିଷ୍ପତ୍ତିରେ ଅଟଳ ରହିଛି ।
Also read: ବିରାଟ କୋହଲିଙ୍କ ସହ ସମାନ ଥିଲା ଉସମାନ ଖୱାଜାଙ୍କ ଶେଷ ଟେଷ୍ଟ ମ୍ୟାଚ୍