ନୂଆଦିଲ୍ଲୀ: ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପାଇଁ ଏକ ନଗଦହୀନ ଚିକିତ୍ସା ଯୋଜନା ଆରମ୍ଭ କରିବେ। ମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ଅଧୀନରେ, ସଡ଼କ ଦୁର୍ଘଟଣା ପୀଡିତମାନେ ଅତି କମରେ ସାତ ଦିନ ପାଇଁ ଏକ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ନଗଦହୀନ ଚିକିତ୍ସା ପାଇବାକୁ ହକଦାର ହେବେ। ଶ୍ରୀ ଗଡକରୀ କହିଛନ୍ତି ଯେ କୌଣସି ରାସ୍ତାରେ ଦୁର୍ଘଟଣା ଘଟିଲେ, ପୀଡିତଙ୍କୁ ଡାକ୍ତରଖାନା ପହଞ୍ଚାଇବାରେ ସାହାଯ୍ୟ କରୁଥିବା ଭଲ ଭଲ୍ୟୁଣ୍ଟରଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବ।
ତେବେ ପିଏମ୍-ରାହତ ଯୋଜନାରେ ଏହି ସୁବିଧା ମିଳୁଥିବାବେଳେ ଖୁବ୍ଶୀଘ୍ର ଓଡ଼ିଶାରେ ଏହା ଲାଗୁ କରିବାକୁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ନୂଆଦିଲ୍ଲୀରେ ଅନୁଷ୍ଠିତ ପରିବହନ ବିକାଶ ପରିଷଦ ବୈଠକରେ ଜଣାଇଛନ୍ତି। ଏହି ବୈଠକରେ ପରିବହନ କମିସନର ଅମିତାଭ ଠାକୁର ଯୋଗଦେଇଥିଲେ। ଅନ୍ୟ ରାଜ୍ୟର ପରିବହନ ମନ୍ତ୍ରୀ ଓ ସଚିବମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ।
ସଡ଼କ ପରିବହନ ମନ୍ତ୍ରଣାଳୟ ମଧ୍ୟ ଓଡ଼ିଶାର ପ୍ରମୁଖ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଯଥା- ସୁବାହକ, ଆମ ସୁବାହକ, ସୁବାହକ ସୁବିଧା, ରକ୍ଷକ ଓ ଜୁନିଅର ରକ୍ଷକକୁ ପ୍ରଶଂସା କରିଛନ୍ତି। ଓଡ଼ିଶାର ସଫଳ ଗୋଷ୍ଠୀଭିତ୍ତିକ ପଦକ୍ଷେପଗୁଡ଼ିକରୁ ଅନୁପ୍ରାଣିତ ହୋଇ ଜାତୀୟ ସ୍ତରରେ ‘ସଡ଼କ ସୁରକ୍ଷା ମିତ୍ର’ କାର୍ଯ୍ୟକ୍ରମ ପ୍ରସ୍ତାବ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି।
ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମତୀ ପାଢ଼ୀ ଓଡ଼ିଶାର ସାମଗ୍ରିକ ପରିବହନ ଓ ସଡ଼କ ସୁରକ୍ଷା ସମ୍ପର୍କିତ ଚିତ୍ର ଉପସ୍ଥାପନ କରିଥିଲେ। ସଡ଼କ ସୁରକ୍ଷା, ଡିଜିଟାଲ୍ ପରିବହନ ଶାସନ, ଚାଳକ ପ୍ରଶିକ୍ଷଣ ଓ ପ୍ରଯୁକ୍ତିଭିତ୍ତିକ ପ୍ରବର୍ତ୍ତନ କ୍ଷେତ୍ରରେ ରାଜ୍ୟର ଅଗ୍ରଣୀ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିଥିଲେ। ସେହିପରି ପୁଲିସ, ସ୍ୱାସ୍ଥ୍ୟ ଓ ପରିବହନ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଇ-ଡାର୍ ଏବଂ ସିସିଟିଏନ୍ଏସ୍ର ଦ୍ୱିମୁଖୀ ଏକୀକରଣ ହାସଲ କରିବାରେ ଓଡ଼ିଶା କିପରି ଦେଶର ପ୍ରଥମ ରାଜ୍ୟ ହୋଇଛି ସେ ନେଇ ସୂଚନା ଦେଇଥିଲେ।
ଅଧିକ ପଢନ୍ତୁ: ଦୂରସଂଚାର ବିଭାଗ ସହିତ ଏକ ମିଳିତ ଟାସ୍କ ଫୋର୍ସ ଗଠନ କରାଯାଇଛି: ଗଡକରୀ