ବଲାଙ୍ଗୀର: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଫରେଷ୍ଟର ବାବୁ। ୧୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଅଶୋକ କୁମାର ନାୟକଙ୍କୁ ଧରିଲା ଭିଜିଲାନ୍ସ।ସୂଚନା ମୁତାବକ କୌଶିକ କୁମାର ଭୋଇ ନାମକ ଜଣେ ବ୍ୟକ୍ତିଠାରୁ ରେଙ୍ଗାଲ ଗଛ କାଟିବା ପାଇଁ ଅନୁମତି ଦେବାକୁ ଲାଞ୍ଚ ଦାବି କରିଥିଲେ ବଲାଙ୍ଗୀର ମୁରିବାହାଲ ରେଞ୍ଜ ଗୁଲମୀ ଫରେଷ୍ଟର ଅଶୋକ କୁମାର ନାଏକ। ଚାଷୀ ଜଣକ କିଛି ଦିନ ପୂର୍ବରୁ ତାଙ୍କ ନିଜ ଜମିରୁ କଟାଯାଇଥିବା ଗୋଟିଏ ସାଗୁଆନ ଏବଂ ଗୋଟିଏ ସାଲ ଗଛର କାଠ ପରିବହନ ପାଇଁ ଅନୁମତି ମାଗିଥିଲେ। ସରକାରୀ ନିୟମ ଅନୁଯାୟୀ, ପୂର୍ବ ଅନୁମତି ବିନା ଗଛ କାଟିବା ପାଇଁ ନାୟକ ୨,୦୦୦ ଟଙ୍କା ଜରିମାନା କରିଥିଲେ। ତଥାପି, ପରିବହନ ଅନୁମତି ଦେବା ପାଇଁ ସେ ୧୦,୦୦୦ ଟଙ୍କା ଲାଞ୍ଚ ମଧ୍ୟ ଦାବି କରିଥିଲେ। ଲାଞ୍ଚ ନ ଦେଲେ ସେ ଚାଷୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ତେବେ ଚାଷୀ ପୂର୍ବରୁ ଅନୁମତି ନେବା ବିଷୟରେ ଜାଣି ନ ଥିବାରୁ ସେ ୨୦୦୦ ଟଙ୍କା ଜରିମାନା ଦେବାକୁ ରାଜି ହୋଇଥିଲେ। କିନ୍ତୁ ନାୟକ କାଠ ପରିବହନ ପାଇଁ ଅନୁମତି ଦେବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ପାଇଁ ଜିଦ୍ ଧରିଥିଲେ। ଶେଷରେ ଫରେଷ୍ଟର ବାବୁଙ୍କ ଠାରୁ ହଇରାଣର ଶିକାର ହୋଇ ଚାଷୀ ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ସୂଚନା ପାଇ, ଓଡ଼ିଶା ଭିଜିଲାନ୍ସର ଏକ ଦଳ ଆଜି ଫରେଷ୍ଟରଙ୍କୁ ଚାଷୀଙ୍କଠାରୁ ୨୦୦୦ ଟଙ୍କା ଜରିମାନା ଏବଂ ଲଂଚ ଟଙ୍କା ୧୦ହଜାର ନେଉଥିବା ସମୟରେ ଗିରଫ କରିଛି । ଅଭିଯୁକ୍ତ ଫରେଷ୍ଟରଙ୍କ କବଜାରୁ ମୋଟ ୧୨,୦୦୦ ଟଙ୍କା ଜବତ କରାଯାଇଛି।
ମଙ୍ଗଳବାର ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ ଧରିଛନ୍ତି। ଫରେଷ୍ଟରଙ୍କ ଅଫିସ ଓ ଆଦର୍ଶ ପଡା ନେହେରୁ ନଗରରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଥିବା ଭିଜିଲାନ୍ସ ଡିଏସପି ପୂଲସ୍ତି ଛତ୍ରିଆ ସୂଚନା ଦେଇଛନ୍ତି। ଅଫିସକୁ ଲାଗିରହିଥିବା ଫରେଷ୍ଟରଙ୍କ ଘରେ ଚଢାଉ ବେଳେ ଖଟ ତଳେ , ସ୍କାଏ ଲାଇଟ୍ ଓ ଝରକାରୁ ପୁଳାପୁଳା ଟଙ୍କା ବାହାରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।
ଅଧିକ ପଢନ୍ତୁ: ୨୦୪୭ ସୁଦ୍ଧା ବିକଶିତ ଭାରତ ଭିବି ଜି ରାମ୍ ଜି ବିଲ୍ର ଲକ୍ଷ୍ୟ; ମୁଖ୍ୟମନ୍ତ୍ରୀ କହିଲେ, ବିରୋଧୀ କରୁଛନ୍ତି ଅପପ୍ରଚାର