ଭୁବନେଶ୍ବର: ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରିକି ସମସ୍ତ ମନ୍ତ୍ରୀମଣ୍ଡଳରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘାୟୁ କାମନା କରାଯାଇଛି। ଏହାସହିତ କୋଟି କୋଟି ଜନତା ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଆନ୍ତି ସେମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ଜନପ୍ରିୟ ତଥା କର୍ମଠ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଓଡ଼ିଶାର ପ୍ରଗତିକୁ ତ୍ୱରାନ୍ୱିତ କରିବା ଏବଂ ରାଜ୍ୟର ଯୁବଶକ୍ତିକୁ ସଶକ୍ତ କରିବା ଦିଗରେ ତାଙ୍କର ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମୋଦୀ କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ଯେ, ଆପଣଙ୍କ ଶୁଭେଚ୍ଛା ଏବଂ ଉତ୍ସାହଜନକ କଥା ପାଇଁ ଧନ୍ୟବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ। ଆପଣଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନ ଅଧିକ ଉତ୍ସର୍ଗୀକୃତ ଭାବରେ ଓଡ଼ିଶାବାସୀଙ୍କ ସେବା କରିବାର ମୋର ସଂକଳ୍ପକୁ ଆହୁରି ଦୃଢ଼ କରିଚାଲିଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ମୋଦୀ ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆପଣ ରାଜ୍ୟରେ ନିରନ୍ତର ଭାବେ ଜନସେବା ଏବଂ ସୁଶାସନକୁ ତ୍ୱରାନ୍ୱିତ କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସଫଳ ଜୀବନ ଯାତ୍ରାର କାମନା କରିଛନ୍ତି ଅମିତ ଶାହ। ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ, ଆଦରଣୀୟ ଅମିତ ଶାହ ଜୀ, ଆପଣଙ୍କର ସ୍ନେହଭରା ଶୁଭେଚ୍ଛା ଓ ପ୍ରେରଣାଦାୟୀ ବାର୍ତ୍ତା ପାଇଁଅଶେଷ ଅଶେଷ ଧନ୍ୟବାଦ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ଆପଣଙ୍କ ନିରନ୍ତର ସହଯୋଗରେ ଆମେ 'ସମୃଦ୍ଧ ଓଡ଼ିଶା' ଗଠନ ପାଇଁ ସର୍ବଦା ସଂକଳ୍ପବଦ୍ଧ।
ସେହିପରି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହାପ୍ରଭୁଙ୍କ ପାଖରେ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ, ଆପଣଙ୍କ ଶୁଭେଚ୍ଛା ଓ ଶୁଭକାମନା ପାଇଁ ଅଶେଷ ଅଶେଷ ଧନ୍ୟବାଦ। ଆପଣମାନଙ୍କ ସହଯୋଗରେ ସବୁବେଳେ ମୋ ସହ ଏହିପରି ରହିଥାଉ।
ଅଧିକ ପଢନ୍ତୁ : ୫୫ ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ