ଭୁବନେଶ୍ବର: ଆଜି ଓଡ଼ିଶାର ‘ଲୋକଙ୍କ ନେତା’ ଭାବେ ପରିଚିତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମ ଦିନ। ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଖୁବ୍ କମ ସମୟ ଭିତରେ ତାଙ୍କର ଅଭିଯୋଗ ଶୁଣାଣୀ ବେସ ଲୋକପ୍ରିୟ ହୋଇପାରିଛି। ଏହା ସହ ସୁଭଦ୍ରା ଯୋଜନା, ସମୃଦ୍ଧ କୃଷକ ଯୋଜନା ଭଳି ଅନେକ ଯୋଜନା ଜନ ଆଦୃତ ହୋଇପାରିଛି।
୧୯୭୨ ଜାନୁଆରୀ ୬ ତାରିଖରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅଧୀନ ରାଉକଳା ଗ୍ରାମର ଏକ ସାଧାରଣ ସାନ୍ତାଳ ଆଦିବାସୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ଅତି ସାଧାରଣ ପୃଷ୍ଠଭୂମିରୁ ଆସି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦବୀରେ ପହଞ୍ଚିବା ପଛରେ ରହିଛି ତାଙ୍କର ଦୃଢ଼ ଇଚ୍ଛାଶକ୍ତି ଓ ସଂଘର୍ଷର କାହାଣୀ। ଜଣେ ନିରାଡ଼ମ୍ବର ମଣିଷ ଭାବେ ସେ ଆଜି ମଧ୍ୟ ନିଜର ସାଧାରଣ ଜୀବନଶୈଳୀ ପାଇଁ ସମସ୍ତଙ୍କର ପ୍ରିୟ ହୋଇ ରହିଛନ୍ତି।
ସେ ୧୯୮୭ରେ ଝୁମ୍ପୁରା ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିବା ପରେ ୧୯୯୦ରେ ଆନନ୍ଦପୁର କଲେଜରୁ ଯୁକ୍ତ୨ ପାସ୍ କରିଥିଲେ। ଚମ୍ପୁଆ ଚନ୍ଦ୍ରଶେଖର କଲେଜରୁ ୧୯୯୩ରେ ସ୍ନାତକ ଏବଂ ପରେ ସ୍ନାତକୋତ୍ତର ପାସ୍ କରିଥିଲେ। ଢେଙ୍କାନାଳ ଆଇନ ମହାବିଦ୍ୟାଳୟରୁ ଏଲଏଲ୍ବି ପାସ୍ କରି ପ୍ରଥମେ ଝୁମ୍ପୁରାସ୍ଥିତ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକତା ଆରମ୍ଭ କରିଥିଲେ। ଶିକ୍ଷକତା ସମୟରୁ ହିଁ ତାଙ୍କ ମଧ୍ୟରେ ସମାଜସେବା ଓ ଶୃଙ୍ଖଳିତ ଜୀବନଯାପନର ମୂଳଦୁଆ ପଡ଼ିଥିଲା।
ମୋହନଙ୍କର ରାଜନୈତିକ ଜୀବନ ତୃଣମୂଳ ସ୍ତରରୁ ଆରମ୍ଭ ହୋଇଥିଲା। ସେ ପ୍ରଥମେ ନିଜ ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ୧୯୯୭ରେ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହା ଯାଏ ସେ ଏହି ପଦବୀରେ ଜନସେବା କରିଥିଲେ। ଏହାପରେ ସେ କେନ୍ଦୁଝର ସଦର ବିଧାନସଭା ଆସନରୁ ଭାଜପା ଟିକେଟରେ ୨୦୦୦, ୨୦୦୪, ୨୦୧୯ ଏବଂ ୨୦୨୪ରେ ବିଜୟୀ ହୋଇଛନ୍ତି। ୨୦୧୯ରୁ ୨୦୨୪ ମଧ୍ୟରେ ସେ ଭାଜପାର ମୁଖ୍ୟ ସଚେତକ ଭାବେ ବିଧାନସଭାରେ ଲୋକଙ୍କ ସମସ୍ୟାକୁ ଦୃଢ଼ ଭାବେ ଉପସ୍ଥାପନ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ଅଧିକ ପଢନ୍ତୁ : ଜାଡ଼ରେ ଥରୁଛି ଓଡିଶା: ୪ ଦିନ ପର୍ଯ୍ୟନ୍ତ ଶୀତରୁ ନାହିଁ ନିସ୍ତାର