ଭୁବନେଶ୍ୱର: ଜାଡରୁ ତ୍ରାହୀ ତ୍ରାହୀ ଡାକିଲେଣି ଲୋକ। ଖସୁଛି ପାରଦ ବଢୁଛି ଶୀତ। କୁହୁଡିରେ ଅସ୍ତବ୍ୟସ୍ତ ଜୀବନ। ଜାଡ ସାଙ୍ଗକୁ କାଲୁଆ ପବନ କରୁଛି କଲବଲ। ପୁଣି ବଢିବ ଶୀତ ଏପରି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ୨ରୁ ୪ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇବ। ଫଳରେ ଅଧିକ ଶୀତ ହେବ। ପୂରା ଓଡ଼ିଶାରେ ଶୀତର ପ୍ରକୋପ ବଢ଼ିବ। ୪ ଦିନ ପରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି। ଖାଲି ଶୀତ ନୁହେଁ ତା ସାଙ୍ଗକୁ କୁହୁଡ଼ି ଜନଜୀବନକୁ କଲବଲ କରିବ।
ଗତକାଲି ବୌଦ୍ଧ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଥିଲା। ଦୃଶ୍ୟମାନ ଦୂରତା ୨୦ ମିଟର ଥିଲା। ଆଜି କୁହୁଡିକୁ ନେଇ କନ୍ଧମାଳ, କୋରାପୁଟ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, ବଲାଙ୍ଗିର ଏବଂ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା। ସେହିଭଳି ୭ ତାରିଖରେ ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, କଟକ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।