ଭୁବନେଶ୍ୱର: କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ ମୁସକିଲ ହୋଇପଡୁଛି ତେବେ ଆସନ୍ତା୨୬ ତାରିଖ ପର୍ଯ୍ୟନ୍ତ ହିଟୱେଭ ୱାର୍ଣ୍ଣିଂ ଜାରି ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ହିଟୱେଭ ପାଇଁ ଆଜି ୮ ଜିଲ୍ଲାକୁ ଅରେଞ୍ଜ ଓ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ରହିଛି।
ଝାରସୁଗୁଡ଼ାରେ ତାପମାତ୍ରା ରାଜ୍ୟର ସର୍ବୋଚ୍ଚ ୪୫.୪ ଡିଗ୍ରି ରେକର୍ଡ କରାଯାଇଛି । ଟିଟିଲାଗଡ଼ରେ ୪୪, ସମ୍ବଲପୁର ଓ ବୌଦ୍ଧରେ ୪୩.୮, ବଲାଙ୍ଗୀରରେ ୪୩.୭, ସୁନ୍ଦରଗଡ଼ ଓ ହୀରାକୁଦରେ ୪୩.୪, ସୋନପୁରରେ ୪୩.୨, ଅନୁଗୁଳରେ ୪୨.୯, ଭବାନୀପାଟଣାରେ ୪୨.୫, ତାଳଚେର ଓ ରାଉରକେଲାରେ ୪୨.୪, ବରଗଡ଼ରେ ୪୨.୨, ନୂଆପଡ଼ାରେ ୪୨, ପାରଳାଖେମୁଣ୍ଡିରେ ୪୧, ବାରିପଦାରେ ୪୦.୨ ଡିଗ୍ରି ରେକର୍ଡ କରାଯାଇଛି ।
ତାପମାତ୍ରାର ବୃଦ୍ଧି ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟ ଛୁଟି କରାଯାଇଛି । ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ରେକର୍ଡ କରିଥିବାବେଳେ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଲାଗିରହିଛି।