ଭୁବନେଶ୍ୱର: ରାଜଧାନୀର ହାଇପ୍ରୋଫାଇଲ ଅଞ୍ଚଳରୁ ଶିଶୁ ପୁତ୍ର ଚୋରୀ ହେବା ଘଟଣା ଏବେ ନୂଆ ମୋଡ଼ ନେଇଛି । ଶିଶୁକୁ ଅଙ୍ଗ ତସ୍କରୀ ପାଇଁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି । କିନ୍ତୁ ପୋଲିସ ଏ ସମ୍ପର୍କରେ କିଛି କହିନଥିବାବେଳେ ଛୁଆ ରଖିଥିବା ମହିଳା ଝେଲମରାଣୀ ପଣ୍ଡା ଏବଂ ମୁଖ୍ୟ ଅଭିଯୁକ୍ତ କେଦାର ସେନଙ୍କୁ ଅଟକ ରଖାଯାଇଥିବା ପୋଲିସ କମିଶନର ଦେବଦତ୍ତ ସିଂହ କହିଛନ୍ତି । ଶିଶୁକୁ ମାଆ କୋଳକୁ ହସ୍ତାନ୍ତର କରାଯାଇଛି ।
ପୋଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ଭୁବନେଶ୍ୱର ରାମ ମନ୍ଦିର ସାମ୍ନାରୁ ଚୋରୀ ହୋଇଥିବା ଶିଶୁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ବ୍ଲକ୍ ବୋଇତା ଗ୍ରାମରୁ ଉଦ୍ଧାର କରାଯାଇଛି । ଝେଲମଙ୍କ ସ୍ୱାମୀ ପ୍ରଶାନ୍ତ ବେଙ୍ଗାଲୁରୁରେ କାମ କରନ୍ତି । ଅପହରଣକାରୀ କେଦାର ସେନଙ୍କ ସାଙ୍ଗ ପ୍ରଶାନ୍ତ ସହିତ ସାଙ୍ଗ ଥିଲେ । ସିଏ ମଧ୍ୟସ୍ଥି ଥିଲେ । ମହିଳା ଜଣକ କେଦାର ସେନଙ୍କ ସହିତ ଝେଲମ ଦୀର୍ଘ ଦିନରୁ ସମ୍ପର୍କରେ ଥିଲେ । ଅଙ୍ଗତସ୍କରୀ ନେଇ ତଦନ୍ତ ଚାଲିଛି ବୋଲି ସିପି କହିଛନ୍ତି । ଭୁବନେଶ୍ୱରରୁ ଟ୍ରେନରେ ଗଲା ପରେ ବାଲେଶ୍ୱରରେ ପହଁଚିଥିଲା । ସେଠାରେ ଅନ୍ୟ ଜଣେ ବାଇକ ଧରି ଅପେକ୍ଷା କରିଥିଲା । ସେମାନେ ବାଇକରେ ନେଇ ମହିଳାଙ୍କୁ ସୋର ନିକଟରେ ଶିଶୁକୁ ଦେଇଥିଲେ ।
ସେହିପରି ମୁଖ୍ୟ ଅଭିଯୁକ୍ତ କେଦାର ସେନ ଓ ଶିଶୁକୁ ରଖିଥିବା ମହିଳାଙ୍କୁ ପୋଲିସ ଅଟକ ରଖିଛି । କେଦାର ଜଣେ ପେଷାଦାର ଅପରାଧୀ ଅଟେ । ସେ ବିଭିନ୍ନ ଚୋରୀ ମାମଲାରେ ସମ୍ପୃକ୍ତି ଅଛି ବୋଲି ସିପି କହିଛନ୍ତି । ଦୁଇ ବାଇକ ଆରୋହୀଙ୍କ ପରିଚୟ ସ୍ପଷ୍ଟ ହୋଇନି ବୋଲି ପୋଲିସ କହିଛି ।
ଅନ୍ୟପକ୍ଷରେ ସ୍ୱାମୀ ପ୍ରଶାନ୍ତ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ ଖନ୍ତାପଡ଼ା ରେଳ ଷ୍ଟେସନ ନିକଟରୁ ଜଣେ ଯୁବକଙ୍କ ଠାରୁ ଝେଲମ ଶିଶୁକୁ ଆଣିଥିଲେ । ଏହା ପରେ ଘରେ ରଖିଥିଲେ । ତାର ସ୍ୱାସ୍ଥ୍ୟ ଖରାପ ଥିବା ସେ କହିଛନ୍ତି । ସେ ଖାଲି ତାଙ୍କୁ ଲାଳନପାଳନ ପାଇଁ ରଖିଥିଲେ ବୋଲି ପ୍ରଶାନ୍ତ କହିଛନ୍ତି । କିନ୍ତୁ ଶିଶୁକୁ କିଏ ଦେଇଥିଲା ତାହା ଜାଣି ନାହାଁନ୍ତି ବୋଲି କହିଛନ୍ତି । ତାଙ୍କ ସ୍ତ୍ରୀକୁ ପୋଲିସ ଅଟକ ରଖିଛି, ତୁରନ୍ତ ଫେରାଇ ଦେବାକୁ ସେ ଦାବି କରିଛନ୍ତି ।
ତେବେ ଦମ୍ପତ୍ତିଙ୍କର ୨ଟି ଝିଅ ଏବଂ ଗୋଟିଏ ପୁଅ ଅଛି । ସେମାନଙ୍କର ୩ଟି ପିଲା ଥାଉ ଥାଉ କାହିଁକି ଆଉ ଗୋଟିଏ ପିଲାକୁ ରଖିବାକୁ ଚାହୁଁଥିଲେ, ତାହା ଏବେ ବଡ଼ ପ୍ରଶ୍ନ । ତେବେ ସେମାନଙ୍କର ପଡ଼ୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ ଝେଲମଙ୍କ ପୁଅ କିଡ଼ନୀ ରୋଗରେ ପୀଡ଼ିତ । ସେମାନେ ଗୋଟେ ପିଲା ଖୋଜୁ ଥିଲେ । ତେଣୁ ଅଙ୍ଗ ତସ୍କରୀ ପାଇଁ ଏହି ଅପହରଣ କରାଯାଉଥିବା ସନ୍ଦେହ ପ୍ରକାଶ ପାଇଛି ।