ଭୁବନେଶ୍ୱର: ଆସିଛି ପାର୍ବଣ ଋତୁ । ହସୁଛି କାଶତଣ୍ଡୀ । ଆଉ କିଛି ଦିନ ପରେ ଧରାବତରଣ କରିବେ ଜଗତଜନନୀ ମା' ଦଶଭୁଜା । ମା'ଙ୍କ ଆଗମନ ପାଇଁ ସଜେଇ ହେଲାଣି ଗାଁଠୁ ସହରରେ ଥିବା ବିଭିନ୍ନ ପୂଜା ମଣ୍ଡପ । ସେଥିପାଇଁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି । କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀ, ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠ ସମେତ ବିଭିନ୍ନ ଶକ୍ତି ପୀଠରେ ଶରତକାଳୀନ ଦୂର୍ଗାପୂଜାର ଷୋଡଶ ଦିନାତ୍ମକ ଏହି ପୂଜା ବିଧି କରାଯାଇଥାଏ । ମୂଳାଷ୍ଟମୀ ଠାରୁ ବିଧି ଅନୁସାରେ ମା'ଙ୍କ ଘଟ ସ୍ଥାପନ କରାଯାଇ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥାଏ ।
ଷୋଡଶ ଉପଚାର ପୂଜା ପାଇଁ ମନ୍ଦିର ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଘଟସ୍ଥାପନ ହେବା ପରେ ମା' କଟକ ଚଣ୍ଡୀ ଆଜି ଓ ଆସନ୍ତାକାଲି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ସମୟରେ ମା' କଟକ ଚଣ୍ଡୀ ଭୁବନେଶ୍ଵରୀ ବେଶ, ଉଗ୍ରତାରା ବେଶ, ସିଦ୍ଧେଶ୍ୱରୀ ବେଶ, ନାରାୟଣୀ ବେଶ, ମାତଙ୍ଗୀ ବେଶ ପରି ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମା'ଙ୍କ ଦର୍ଶନ ପାଇଁ ବିଭିନ୍ନ ଶକ୍ତିପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ ।
ଭାଦ୍ରବ ଶୁକ୍ଳ ଅଷ୍ଟମୀଠାରୁ ଶୟନ କରିଥିବା ଦେବୀ ଦୁର୍ଗାଙ୍କର ଶରତ୍କାଳୀନ ଷୋଡ଼ଶ ଦିବସବ୍ୟାପୀ ପୂଜା ଆରମ୍ଭ ହୁଏ । ରାଧାଷ୍ଟମୀ ରାତିରେ ଦେବୀ ଦୁର୍ଗାଙ୍କର ଶୟନ ନୀତି ହୁଏ। ବିଧି ଅନୁସାରେ ଦେବୀ ପନ୍ଦରଦିନ ଶୁଅନ୍ତି ଏବଂ ଯେଉଁଦିନ ଷୋହଳ ଦିନ ହୁଏ, ସେଦିନ ନିଦରୁ ଉଠନ୍ତି ।