କେନ୍ଦୁଝର: ସୁରକ୍ଷା କେବଳ ସରକାରଙ୍କର ଦାୟିତ୍ଵ ନୁହେଁ। ଏଥି ପ୍ରତି ସଚେତନ ହେବା ପ୍ରତ୍ୟେକ ବ୍ୟକ୍ତିଙ୍କର ସାମୂହିକ ଦାୟିତ୍ଵ । ଭୁବନେଶ୍ଵରରେ ଶୂନ ଦୁର୍ଘଟଣା ଦିବସର ଏକ ବିଶେଷ ସଫଳତା ପରେ କେନ୍ଦୁଝର ଏହି ଅଭିଯାନକୁ ଆଗକୁ ନେବାରେ ଓଡ଼ିଶାର ପ୍ରଥମ ଜିଲ୍ଲା ହୋଇଛି । ଶୂନ ଦୁର୍ଘଟଣା ଦିବସ ସଚେତନତା ବାର୍ତ୍ତାକୁ ପ୍ରତି ସହର, ଗାଁ ଏପରିକି ଘରେ ଘରେ ପହଞ୍ଚାଇବା ଆମର ଲକ୍ଷ୍ୟ ହେବ । ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବା। ସମସ୍ତ କ୍ଷେତ୍ରରେ ସତର୍କତା ହିଁ ଆମକୁ ଏସବୁ ଦୁର୍ଘଟଣାରୁ ବଞ୍ଚେଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
କେନ୍ଦୁଝରଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ‘ଶୂନ୍ୟ ଦୁର୍ଘଟଣା ଦିବସ’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶାକୁ ଏକ ଦୁର୍ଘଟଣା-ଶୂନ୍ୟ ରାଜ୍ୟ ଭାବେ ଗଢିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିରୋ ଆକ୍ସିଡେଣ୍ଟ ସେଲ୍ଫି ପଏଣ୍ଟକୁ ଉଦ୍ଘାଟନ କରିବା ସହିତ ସଡକ ସୁରକ୍ଷା ବାର୍ତ୍ତା ପ୍ରଚାରକ ମାନଙ୍କୁ ସେହିଠାରେ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲାର ସମସ୍ତ ୧୩ ଟି ବ୍ଲକରେ ସଡକ ସୁରକ୍ଷା ସଚେତନତା ତଥା ଶୂନ୍ୟ ଦୁର୍ଘଟଣା ବାର୍ତ୍ତା ପ୍ରଚାର ରଥ ଓ ସିଂଗନେଚର କ୍ୟାମ୍ପେନକୁ ଉଦ୍ଘାଟନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦୁଝର ଜିଲ୍ଲା ହେଉଛି ଏକ ଖଣିବହୁଳ ଅଞ୍ଚଳ। ଦିନରାତି ଏଠାରେ ଖଣିଜ ପଦାର୍ଥ ପରିବହନ ହୋଇଥାଏ । ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କୁ ଯାତାୟତ ସମୟରେ ସଡକ ସୁରକ୍ଷା ନିୟମାବଳୀ ମାନିବା ସହିତ ସତର୍କତା ଅବଲମ୍ବନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଖଣି ଓ ଶିଳ୍ପ କ୍ଷେତ୍ର ସହିତ ସଂଲଗ୍ନ ସମସ୍ତ କମ୍ପାନୀ, ଡ୍ରାଇଭର୍, କର୍ମଚାରୀ ମାନଙ୍କ ସୁରକ୍ଷାକୁ ପ୍ରଥମ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵରରେ ଶୂନ୍ୟ ଦୁର୍ଘଟଣା ଦିବସର ଏକ ବିଶେଷ ସଫଳତା ପରେ କେନ୍ଦୁଝର ଏହି ଅଭିଯାନକୁ ଆଗକୁ ନେବାରେ ଓଡ଼ିଶାର ପ୍ରଥମ ଜିଲ୍ଲା ହୋଇଛି । ଆଇ.ଆଇ.ଟି ମାଡ୍ରାସ ସହାୟତାରେ କେନ୍ଦୁଝରରେ ଏଥି ନିମନ୍ତେ ଏକ ୧୪-ଦିନିଆ, କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଆଇ.ଆଇ.ଟି ମାଡ୍ରାସ ଦୁର୍ଘଟଣାକୁ କିପରି ପ୍ରତିହତ କରିହେବ, ସେଥିପାଇଁ ମାର୍ଗଦର୍ଶନ କରିବ।