ନୂଆଦିଲ୍ଲୀ: କୋଭିଡ୍ ଭ୍ୟାକ୍ସିନରେ ରହିଛି ପାର୍ଶ୍ଵ ପ୍ରତିକ୍ରିୟା। ଏମିତି ଦାବି କରି ଦାଖଲଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଆବେଦନରେ କୁହାଯାଇଥିଲା ଯେ, କୋଭିଡ୍ ଭ୍ୟାକ୍ସିନର ବ୍ୟବହାର ପରଠୁ ମଣିଷଙ୍କଠାରେ ବିଭିନ୍ନ ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା(ସାଇଡ୍ ଇଫେକ୍ଟ) ଦେଖିବାକୁ ମିଳିଛି। ଏଥିରେ ରକ୍ତ ଜମାଟ ବାନ୍ଧି ହେବା ଏବଂ ହୃଦଘାତ ପରି ରୋଗ ଦେଖାଯାଉଛି।
ସୋମବାର ଆବେଦନ ଉପରେ ଶୁଣାଣି କରି ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଦିବାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି କହିଛନ୍ତି, ଏହା କେବଳ ଚାଞ୍ଚଲ୍ୟ ଖେଳାଇବା ପାଇଁ ଉଦ୍ଦିଷ୍ଟ। ଆମକୁ ଏହା ମଧ୍ୟ ଚିନ୍ତା କରିବା ଉଚିତ୍ ଯେ, ଯଦି ଭ୍ୟାକ୍ସିନ ନିଆଯାଇ ନ ଥାନ୍ତା ତେବେ କଣ ପାର୍ଶ୍ଵ ପ୍ରତିକ୍ରିୟା ହୋଇ ନ ଥାନ୍ତା କି ?
ଜଷ୍ଟିସ ପାରଦିବାଲା ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ କଣ ଆପଣ ଭ୍ୟାକ୍ସିନ ନେଇଛନ୍ତି କି ? ଯଦି ନେଇଛନ୍ତି କଣ ଆପଣଙ୍କଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି କି ? ଆବେଦନକାରୀଙ୍କ ଓକିଲ ଭ୍ୟାକ୍ସିନ ନେଇଥିବା କଥା ସ୍ଵୀକାର କରିଥିଲେ ଏବଂ ତାଙ୍କୁ କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ହୋଇ ନ ଥିବା କହିଥିଲେ। ଏହା ପରେ ଖଣ୍ଡପୀଠ କହିଛନ୍ତି, ଯାଚିକା କେବଳ ଚାଞ୍ଚଲ୍ୟ ଖେଳାଇବା ଉଦ୍ଦେଶ୍ୟରେ ଦାୟର କରାଯାଇଛି। ଏଥିପାଇଁ ଏହାକୁ ଖାରଜ କରାଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ପ୍ରିୟା ମିଶ୍ର ଓ ଅନ୍ୟ ଆବେଦନକାରୀ ଦ୍ଵାରା ଦାଖଲ ଯାଚିକାରେ ସୁପ୍ରିମକୋର୍ଟଙ୍କଠାରେ ଡାକ୍ତରୀ ବିଶେଷଜ୍ଞଙ୍କ ଏକ କମିଟି ଗଠନ କରାଯାଇ ଆଷ୍ଟ୍ରାଜେନେକାର କୋଭିସିଲ୍ଡ ଭ୍ୟାକ୍ସିନ ଓ ଏହାର ପାର୍ଶ୍ଵ ପ୍ରତିକ୍ରିୟାର ଯାଞ୍ଚ କରାଯିବା ଉଚିତ୍ ବୋଲି ଦାବି କରାଯାଇଥିଲା। ଏହା ମଧ୍ୟ ଦାବି ହୋଇଥିଲା ଯେ, କମିଟିରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଓ ସୁପ୍ରିମକୋର୍ଟର ଅବସରପ୍ରପ୍ତ ଜଜ ସଦସ୍ୟ ରୁହନ୍ତୁ ଯଦ୍ଵାରା ଭ୍ୟାକ୍ସିନର ଅଧ୍ୟୟନ ଠିକ୍ ଭାବେ କରାଯାଇ ପାରିବ। କିନ୍ତୁ ସୁପ୍ରିମକୋର୍ଟ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି।