ପୁରୀ: ଆଜି ଆମେରିକାକୁ ମିଳିବ ତାର ୪୭ତମ ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବିଶାଳ ବାଲୁକା କଳା ମାଧ୍ୟମରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ବାଲୁକାଶିଳ୍ପୀ ପୁରୀ ବେଳାଭୂମିରେ ଆମେରିକାର ୪୭ତମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୪୭ ଫୁଟର ବାଲୁକା କଳା ନିର୍ମାଣ କରିଛନ୍ତି । ବାଲୁକାକଳା ମାଧ୍ୟମରେ ୱାଇଟ୍ ହାଉସକୁ ଟ୍ରମ୍ପକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ ସେ ଟ୍ରମ୍ପଙ୍କର ଜଣେ ବଡ଼ ପ୍ରଶଂସକ । ସେଥିପାଇଁ ସେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଏହାକୁ ନିର୍ମାଣ କରିଛନ୍ତି ।
ଡୋନାଲ୍ଡ ଟ୍ରମ୍ପ ଆଜି ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଶପଥ ସମାରୋହରେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଅଂଶ ଗ୍ରହଣ କରିବେ । ଶପଥ ଗ୍ରହଣର ପୂର୍ବରୁ ୱାଶିଂଟନରେ ଆୟୋଜିତ ମେକ୍ ଆମେରିକା ଗ୍ରେଟ୍ ଅଗେନ୍ (ଏମ୍ଏଜିଏ) ରାଲିରେ ସେ କହିଛନ୍ତି, ଆମେ ଆମ ଦେଶକୁ ପୂର୍ବାପେକ୍ଷା ବଡ଼ କରିବାକୁ ଯାଉଛୁ । ଜାନୁଆରୀ ୨୦ରେ ଆମେ ଆମ ଦେଶର ଗୌରବ ଫେରାଇ ଆଣିବାକୁ ଯାଉଛୁ । ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକାରେ ଦୀର୍ଘ ୪ ବର୍ଷର ଅବନତି ଉପରେ ପରଦା ପଡ଼ିଛି। ଟ୍ରମ୍ପ କହିଛନ୍ତି, ଆମେ ଆମେରିକୀୟ ଶକ୍ତି ଏବଂ ସମୃଦ୍ଧି, ସମ୍ମାନ ଏବଂ ଗୌରବର ଏକ ନୂତନ ଦିନ ଆରମ୍ଭ କରୁଛୁ ।