ଭୁବନେଶ୍ବର : ଆସନ୍ତା ୨୪ ତାରିଖରୁ ରାଜ୍ୟରେ ପ୍ରଧାନମନ୍ତୀ ଆବାସ ଆବାସ ସର୍ଭେ କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଜି ସୂଚନା ଦେଇଛନ୍ତି। ଅଫ୍ଲାଇନ୍ ଓ ଅନ୍ଲାଇନ୍ ରେ ହିତାଧିକାରୀ ମାନେ ଆବେଦନ କରିପାରିବେ। ରାଜ୍ୟ ସରକାର ୨୪ ତାରିଖରେ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ। ଦେଢ଼ମାସରୁ ୨ ମାସ ଯାଏଁ ଆବାସ ସର୍ଭେ କାର୍ଯ୍ୟ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି। ଆବାସ ସଂଖ୍ୟା ୨ରୁ ୩ କୋଟିକୁ ବଢ଼ିଛି। ଓଡ଼ିଶାକୁ ଅଧିକ ମିଳିବା ଆଶା ରଖାଯାଇଛି। ବାପାଠୁ ଭିନ୍ନ ହୋଇଥିବା ପୁଅ, ସ୍ବାମୀଠୁ ଅଲଗା ଥିବା ସ୍ତ୍ରୀ ଏଥିରେ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିପାରିବେ।
ସୂଚନାଯୋଗ୍ୟ ଶୁକ୍ରବାରଠାରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ସର୍ଭେ ପ୍ରକ୍ରିୟା ଆରମ୍ଭ ପାଇଁ ପରାମର୍ଶ ଦିଆଯାଇଛି । ମୋବାଇଲ ଆପ୍ଲିକେସନ ‘ଆୱାସ ପ୍ଲସ’ ମାଧ୍ୟମରେ ସାନି ସର୍ଭେ କରି ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି । ରାଜ୍ୟବ୍ୟାପୀ ଏହି ପ୍ରକ୍ରିୟା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସଂଶୋଧିତ ସର୍ତ୍ତାବଳୀ ଆଧାରରେ ସାନି ସର୍ଭେରେ ଯେଭଳି କୌଣସି ଯୋଗ୍ୟ ହିତାଧିକାରୀ ବାଦ ନପଡ଼ିବେ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବରୁ ଜାରି ଏସ୍ଓପିକୁ ପାଳନ କରିବାକୁ ମଧ୍ୟ ତାଗିଦ କରାଯାଇଛି । ବିଭାଗ ପକ୍ଷରୁ ନଭେମ୍ବର ୨୭ ଓ ଡିସେମ୍ବର ୨୭ତାରିଖରେ ପ୍ରଧାନମନ୍ତ୍ରୀ-ଆବାସ ଯୋଜନାକୁ ନେଇ ଏସ୍ଓପି ଓ ସର୍ତ୍ତାବଳୀ ଜାରି କରାଯାଇଥିଲା ।
ତେବେ ଏହି ସର୍ଭେ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ ମଧ୍ୟ ବିଭାଗ ପରାମର୍ଶ ଦେଇଛି । ବ୍ଲକ ଓ ଜିଲାସ୍ତରରେ ଉପଲବ୍ଧ ଥିବା ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ପ୍ରଶାସନିକ ପାଣ୍ଠିରୁ ଖର୍ଚ୍ଚ ତୁଲାଇବାକୁ କୁହାଯାଇଛି । ସବୁ ପଞ୍ଚାୟତରେ ମାଇକ ଯୋଗେ ରେକର୍ଡିଂ ହୋଇଥିବା ତଥ୍ୟ ରାଜ୍ୟ ସରକାର ଯୋଗାଇ ଦେବେ ଯାହାକୁ ମାଇକ ଯୋଗେ ପ୍ରଚାର କରାଯିବ । ସେହିପରି ବ୍ଲକ ଓ ପଞ୍ଚାୟତ ମୁଖ୍ୟାଳୟରେ ବଡ଼ ବଡ଼ ବ୍ୟାନର ଓ ହୋର୍ଡିଂ ଲଗାଯିବ। ଯେଉଁଠି ଯୋଗାଯୋଗର ସୁବିଧା ନାହିଁ ସେଠାରେ ସ୍ଥାନୀୟ ସାଂସ୍କୃତିକ ଦଳ ଦ୍ୱାରା ଷ୍ଟ୍ରିଟ୍ ପ୍ଲେ କରାଯିବ । ଏହି ସର୍ଭେ ସମ୍ପର୍କରେ ମଧ୍ୟ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର କରିବାକୁ କୁହାଯାଇଛି ।