କାନପୁର: ଭେଣ୍ଡିଆ ପୁଅ ଘରେ ବସିଥିଲା ବୋଲି ରୋଜଗାର କରିବାକୁ ବାପା ରାତି ଦିନ କହି ହେଉଥିଲେ । ବାପାଙ୍କ କଥାକୁ ଅତି ଗୁରୁତର ସହିତ ନେଲା ପୁଅ । ଟଙ୍କା ରୋଜଗାର କରିବାକୁ ଚିନ୍ତା କଲା । କିନ୍ତୁ କଠିନ ପରିଶ୍ରମ ନୁହେଁ କେମିତି ସହଜରେ ଅଧିକ ଟଙ୍କା କମାଇବା ତାହା ଉପରେ ଧ୍ୟାନ ଦେଲା । ଆଉ ଦିନ ରାତି ବସି ୟୁଟ୍ୟୁବ୍ ଦେଖିଲା, ଶେଷରେ ଟଙ୍କା ରୋଜଗାର କରିବାର ସହଜ ରାସ୍ତା ବି ମିଳିଗଲା, ତାହା ହେଉଛି ଚୋରି । ଏମିତି ଏକ ମାମଲା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶ କାନପୁରରୁ । ଅଭିଯୁକ୍ତ ଜଣକ ହେଲା ଲବିଶ୍ ମିଶ୍ରା । ସେ ଯୁକ୍ତ ୩ ବିଜ୍ଞାନର ଶେଷ ବର୍ଷ ଛାତ୍ର ହୋଇଥିବାବେଳେ ଆଇଟିଆଇ ମଧ୍ୟ ପଢ଼ୁଥିଲା ।
ଅବଘେସ ମିଶ୍ରାଙ୍କ ସାନ ପୁଅ ଲବିଶ୍ ମିଶ୍ରା ସେ ଯୁକ୍ତ ୩ ବିଜ୍ଞାନର ଶେଷ ବର୍ଷ ଛାତ୍ର ହୋଇଥିବାବେଳେ ଆଇଟିଆଇ ମଧ୍ୟ ପଢ଼ୁଥିଲା । ବାପା ଜଣେ ଚାଷୀ ହୋଇଥିବାବେଳେ ବଡ଼ ଭାଇ ଏକ ଦିଲ୍ଲୀରେ ଏକ ଘରୋଇ କମ୍ପାନୀ ଚାକିରି କରନ୍ତି । କିନ୍ତୁ ପରିବାର ଆର୍ଥିକ ଅବସ୍ଥା ସେତଟା ସ୍ୱଚ୍ଛଳ ନ ଥିବାରୁ ରୋଜଗାର କରିବାକୁ ବାପା ଚାପ ପକାଉଥିଲେ । ଲବିଶ ଏହା ପରେ ୟୁଟ୍ୟୁବ୍ ଦେଖିବା ଆରମ୍ଭ କରିଦେଲା । ତା ପରେ କେମିତି ଏକାକୀ ବ୍ୟାଙ୍କୁ ଲୁଟିବ ସେ ବୁଦ୍ଧି ମୁଣ୍ଡକୁ ଜୁଟିଲା ।
ୟୁଟ୍ୟୁବ୍ ଦେଖି ସର୍ଜିକାଲ ବ୍ଲେଡ୍, ଛୁରି, ପିସ୍ତଲ ଆଦି ସବୁ ଏକାଠି କଲା । ଏହା ପରେ ବ୍ୟାଙ୍କ ଲୁଟିବାକୁ ଶନିବାର ସକାଳ ପ୍ରାୟ ୧୦ଟା ସମୟରେ କାନପୁର ଘାଟମପୁର ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟ ପହଁଚିଲା । ସୁରକ୍ଷା କର୍ମଚାରୀ ଅଟକାଇବାରୁ ପ୍ରଥମେ ସୁରକ୍ଷାକର୍ମୀକୁ ଆକ୍ରମଣ କଲା ଏବଂ ବ୍ୟାଙ୍କ୍ ଭିତରକୁ ପଶିଗଲା । ଏହା ପରେ ମ୍ୟାନେଜର, କ୍ୟାସିୟର ଏବଂ ଅନ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କଲା । ମାତ୍ର ସମସ୍ତେ ମିଳିମିଶି ତାକୁ କାବୁ କଲେ ଆଉ ପୋଲିସ ଜିମା ଦେଲେ । ତେବେ ପୋଲିସ ଜେରା କରିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା ।
ଏସିପି ରଞ୍ଜିତ କୁମାରଙ୍କ ସୂଚନା ମୁତାବକ, ଲବିଶ୍ ପ୍ରଥମେ ଶୁକ୍ରବାର ବ୍ୟାଙ୍କକୁ ଯାଇଥିଲା । କିନ୍ତୁ ସେଦିନ ବ୍ୟାଙ୍କରେ ବହୁତ ଭିଡ଼ ଥିବାରୁ ସେ ଫେରିଯାଇଥିଲା । ଏହା ପୂର୍ବରୁ ମଧ୍ୟ ଥରେ ଦୁଇ ଥରେ ଚୋରି କରିବାକୁ ଉଦ୍ୟମ କରିଥିଲା ବୋଲି ପୋଲିସ କହିଛି ।