ନୂଆପଡ଼ା: ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ମାଓବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଓଡ଼ିଶା ଓ ଛତିଶଗଡ଼ ମିଳିତରେ ଏହି ଅପରେସନ୍ ଆରମ୍ଭ ହୋଇଛି । ପୋଲିସ ଏବଂ ସିଆପିଏଫ ଯବାନଙ୍କ ମିଳିତରେ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ।
ରବିବାର ରାତିରୁ ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂରରେ ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ଉଭୟ ରାଜ୍ୟର ସୁରକ୍ଷା ବାହିନୀଙ୍କ ସହ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏକ ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଛି । ସୋମବାର ସକାଳୁ ଉଭୟ ପକ୍ଷରୁ ଗୁଳି ବିନିମୟ ଆରମ୍ଭ ହୋଇଯାଇଛି ବୋଲି ପୋଲିସ କହିଛି । ପୋଲିସ ପକ୍ଷରୁ ଅଭିଯାନ ଜାରି ରହିଥିବା ବେଳେ ଏ ସଂକ୍ରାନ୍ତରେ ଅଧିକ ସୂଚନା ଶୀଘ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୧୬ ତାରିଖରେ ଛତିଶଗଡ଼ ଦକ୍ଷିଣ ବିଜାପୁର ଜଙ୍ଗଲରେ ଗୁରୁବାର ସୁରକ୍ଷାବାହିନୀ ଓ ଲାଲବାହିନୀ ମଧ୍ୟରେ ହୋଇଥିବା ଗୁଳି ବିନିମୟ ହୋଇଥିଲା । ସୁରକ୍ଷାବାହିନୀର ଏନକାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଥିଲେ । ବିଜାପୁର-ସୁକମାର ଡିଆରଜି ଯବାନ, ସିଆରପିଏଫର ୫ଟି କୋବ୍ରା ୟୁନିଟ୍ ଓ ସିଆରପିଏଫର ୨୨୯ତମ ବାଟାଲିୟନକୁ ନେଇ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା ।