ଭୁବନେଶ୍ୱର: ପୁଣି କୁହୁଡ଼ିରେ ଢାଙ୍କିହେବ ଓଡ଼ିଶା । ଆସନ୍ତା ଦୁଇ ଦିନ ରାଜ୍ୟରେ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । କୁହୁଡ଼ି ପ୍ରଭାବରେ ରାଜ୍ୟବାସୀ ହନ୍ତସନ୍ତ ମଧ୍ୟ ହେବାର ସମ୍ଭାବନା ରହିଛି । ସେଥିପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ରେ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ରାଜ୍ୟରେ ଶୀତ ସ୍ୱଳ୍ପରୁ ମଧ୍ୟମ ଧରଣର ଅନୁଭୂତ ହେଉଛି । ରାଜ୍ୟରେ ରାତି ତାପମାତ୍ରା କମିବା ସହିତ କୁହୁଡ଼ି ମଧ୍ୟ ଦୃଶ୍ୟମାନ ହେଉଛି । ଜି. ଉଦୟଗିରିରେ ୫ ଡିଗ୍ରୀ, ସେମିଳିଗୁଡ଼ାରେ ୭.୨, ଦାରିଙ୍ଗିବାଡ଼ି ଓ ଝାରସୁଗୁଡ଼ାରେ ୯ ଡିଗ୍ରୀ, ରାଉରକେଲାରେ ୯.୫, ଭଦ୍ରକରେ ୧୦, କେନ୍ଦୁଝରରେ ୧୦.୪, କୋରାପୁଟରେ ୧୦.୫, ଭବାନୀପାଟଣାରେ ୧୦.୬ ଡିଗ୍ରୀ ରେକର୍ଡ ହୋଇଛି । ଶୀତ ଓ କୁହୁଡ଼ି ସହିତ ରାଜ୍ୟବାସୀ କଲବଲ ହେବାର ସମ୍ଭାବନା ରହିଛି ।
କୁହୁଡି ପ୍ରଭାବରେ ରାଜ୍ୟରେ ଦୃଶ୍ୟମାନ ଦୂରତା ହ୍ରାସ ପାଇଥାଏ। ଫଳରେ ଲୋକମାନେ ଗମନାଗମନ ପାଇଁ ମଧ୍ୟ ହଇରାଣ ହୋଇଥାନ୍ତି। ରାଜ୍ୟରେ ଶୀତ ବହୁ ବିଳମ୍ବରେ ଅନୁଭୂତ ହୋଇଛି । ଫୁଲବାଣୀରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି ।