ଘଟଗାଁ : ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଜିଲ୍ଲା କେଉଁଝର ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କେବଳ ନିଜ ଜିଲ୍ଲା ଗସ୍ତ ନୁହେଁ ଜିଲ୍ଲାର ମୂଳ ସାଂସ୍କୃତିକ ପରିଚୟ ମା' ତାରିଣୀ ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ନୂଆ ଯୋଜନାର ଆରମ୍ଭ କରିଛନ୍ତି । ମା'ତାରିଣୀଙ୍କ ପୀଠ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ମାନଚିତ୍ରରେ ଏକ ବିଶେଷ ସ୍ଥାନ ଅଧିକାର କରେ । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ କେଉଁଝର ବିକାଶ ପାଇଁ ତାଙ୍କର ବଡ଼ ଯୋଜନାର ଏକ ପ୍ରମୁଖ ଅଂଶ ହେଉଛି ମା' ତାରିଣୀ ପୀଠର ବିକାଶ । ଘଟଗାଁ ତାରିଣୀ ପୀଠ ପାଇଁ ମୁଖ୍ଯମନ୍ତ୍ରୀ ୩୧୨ କୋଟି ଟଙ୍କର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପରେ ଅନେକ ବିକାଶ ମୂଳକ କାର୍ଯ୍ୟ ହେବ। ମନ୍ଦିରର ଦେହୁରୀମାନଙ୍କ ରହିବା ପାଇଁ ଗୃହ ନିର୍ମାଣ ହେବ। ବର୍ଷେ ଭିତରେ ମା’ ତାରିଣୀଙ୍କ ପୀଠର ସମସ୍ତ ଉନ୍ନତିକରଣ କାର୍ଯ୍ୟ ସରିବ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି। ଯାତ୍ରୀମାନଙ୍କ ସୁବିଧାକୁ ଧ୍ୟାନରେ ରଖି ୨୧୬ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ୫୦୦ଲୋକଙ୍କ ଏକ ସଙ୍ଗେ ପ୍ରସାଦ ସେବନ ପାଇଁ ସୁବନ୍ଦୋବସ୍ତ, ନଡ଼ିଆ ଗୋଦାମ ସହିତ ମା'ତାରିଣୀ ମନ୍ଦିର ସମ୍ବଦ୍ଧିତ ଏକ ସୁନ୍ଦର ଵ୍ୟାଖ୍ୟାନ କେନ୍ଦ୍ର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ନିଜେ ବ୍ୟକ୍ତିଗତ ତତ୍ତ୍ବାବଧାନ ସହ ଯୋଜନା କରିଛନ୍ତି।
ମୁଖ୍ଯମନ୍ତ୍ରୀ ଆହୁରି କହିଛନ୍ତି ଯେ ୧୮ ମାସ ତଳର ପରିକଳ୍ପନା ଆଜି ସାକାର ହେବାକୁ ଯାଉଛି। ତାରିଣୀଙ୍କ ପୀଠକୁ ଏକ ବିଶ୍ଵସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢିବା।
କେନ୍ଦୁଝରର ଉନ୍ନତି କରଣକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦୁଝର ଯାହା ପ୍ରାକୃତିକ ସମ୍ପଦର ଗନ୍ତାଘର । କେନ୍ଦୁଝରରେ ମେଗାଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଆଗେଇ ଚାଲିଛି । ଖୁବ୍ ଶୀଘ୍ର ଏହାର ଶିଳାନ୍ୟାସ ହେବ । କେନ୍ଦୁଝରରେ ହେବ ମେଗା ଇସ୍ପାତ କାରଖାନା । ରାଉରକେଲା ଓ ଯାଜପୁର ଭଳି କେନ୍ଦୁଝର ଏକ ଇସ୍ପାତ ନଗରୀ ଭାବେ ଓଡ଼ିଶାର ଅର୍ଥନୀତିରେ ଆହୁରି ଅବଦାନ ରଖିବ । ସବୁ ଶିଳ୍ପ ଓ ଖଣି ଅଞ୍ଚଳକୁ ୬ ଥାକିଆ ରାସ୍ତା କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛି । କେନ୍ଦୁଝରକୁ ପ୍ରାୟ ଅଧିକାଂଶ ରାସ୍ତା ୬ ଥାକିଆ ବିଶିଷ୍ଟ କରାଯିବ ବଡ଼ବିଲରେ ଏକ ରିଙ୍ଗ ରୋଡ଼ କରାଯିବ। ରାଜ୍ୟରେ କେତେଗୁଡ଼ିଏ ଇକୋନୋମିକ ଜୋନର ବିକାଶ କରାଯାଉଛି । ଏଥିରେ କେନ୍ଦୁଝର-ବଡ଼ବିଲ-ଯୋଡ଼ା ଅଞ୍ଚଳକୁ ରାଜ୍ୟର ଏକ ସୁଦୃଢ଼ ଅର୍ଥନୈତିକ ଜୋନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି । କେନ୍ଦୁଝର ଜିଲ୍ଲାରେ ଅନେକ ବିକାଶ ପ୍ରକଳ୍ପ ଜାରି ରହିଛି । ସେ ଗୁଡ଼ିକ ମଧ୍ଯ ଆପଣଙ୍କ ପାଇଁ ଖୁବ୍ ଶୀଘ୍ର ଲୋକାର୍ପଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।