ପୁରୀ : ଆଜି ସକାଳୁ ସକାଳୁ ପୁରୀ ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ହୋଇଛି । ମଙ୍ଗଳ ଆଳତୀ ପରେ ମଇଲମ ଚାଲିଥିବା ଅବସ୍ଥାରେ ପାଳିଆ ସେବକଙ୍କୁ ସେବାୟତ ଛୁଇଁଦେବା କାରଣରୁ ଏହି ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ମଇଲମ ନୀତି ଚାଲୁଥିବା ବେଳେ ଜଣେ ସେବାୟତ ଆସି ଛୁଇଁ ଦେଇଥିଲେ । ତେବେ ମହାପ୍ରଭୁଙ୍କର ମହାସ୍ନାନ ନୀତି ପାଇଁ ୧ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା ।
ସୂଚନା ଅନୁସାରେ ଗତ ଦୁଇ ଚାରି ଦିନ ତଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା । ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହେତୁ ପ୍ରାୟ ଦୁଇ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ତେବେ ପରେ ପୁଣି ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ କରିଥିଲେ ।
ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ କେହି ଭକ୍ତ , ସେବାୟତ ଅବା ଯେ କେହି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବସତ ଶରୀରରୁ ରକ୍ତ ପଡିଲେ, ବାନ୍ତି କରିଦେଲେ ଏବଂ ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ । ମହାପ୍ରଭୁଙ୍କର ବଡ଼ ମହାସ୍ନାନ କରାଯାଇଥାଏ ।