ଢେଙ୍କାନାଳ : ଆସନ୍ତା ୨୦୨୬ ଜାନୁଆରୀ ୩୧ ତାରିଖଠାରୁ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଶନିବାର ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶୃଙ୍ଖଳାର ସହିତ ଏହି ମେଳା ଯେପରି ଶେଷ ହେବ ସେଥିପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ସହିତ ମେଳା ସୁପରିଚାଳନା ନିମନ୍ତେ ଆରକ୍ଷୀ ବ୍ୟବସ୍ଥା ସହ ପ୍ରମୁଖ ସ୍ଥାନଗୁଡ଼ିକରେ ସିସିଟିଭି ଲଗାଯିବ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି ।
ମେଳାରେ ହେବାକୁ ଥିବା ଅପେରା ଯାତ୍ରା ପାର୍ଟିରେ କୌଣସି ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଲେ, ଏହାକୁ ବନ୍ଦ କରିଦିଆଯିବ ବୋଲି ସୂଚନା ଦେଇଛନ୍ତି । ମେଳାରେ ପ୍ରାୟ ୧୯ ଲକ୍ଷ ଟଙ୍କା ଆୟ ଅଟକଳ ହୋଇଥିଲା ବେଳେ ପ୍ରାୟ ୧୭ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ହେବ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ମେଳା ଦେଖିବାକୁ ଆସିଥିବା ଯାତ୍ରୀଙ୍କ ଲାଗି ସବୁ ପ୍ରକାର ସୁବିଧା ଉପଲବ୍ଧ ହେବ ବୋଲି ଉପଜିଲ୍ଳାପାଳ ବିବୁଧ ଗଡ଼ନାୟକ କହିଛନ୍ତି ।