ଭୁବନେଶ୍ବର: ଆଦିବାସୀଙ୍କ ପ୍ରତି ସରକାରଙ୍କର ଦରଦ ନାହିଁ। ସେମାନଙ୍କୁ ଅବହେଳା କରାଯାଉଛି। ଜଙ୍ଗଲ ଜମି ପଟ୍ଟା ମିଳୁନି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ବିଧାୟକମାନେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ।ସ୍ବତନ୍ତ୍ର ଉନ୍ନୟନ ପରିଷଦ କାମ କରୁନି। ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ। ଏପରି ଅବହେଳା ଗ୍ରହଣୀୟ ନୁହେଁ ବୋଲି ବିରୋଧୀ ଦଳ ବିଧାୟକମାନେ କହିଛନ୍ତି।
ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ରାଜ୍ୟରେ ଜନସଂଖ୍ୟାରେ ଏସ୍ସି/ଏସ୍ଟି ହେଉଛନ୍ତି ୪୦ ଭାଗ। କିନ୍ତୁ ସେମାନଙ୍କୁ ସଂଖ୍ୟା ଅନୁପାତରେ ସଂରକ୍ଷଣ ମିଳୁନି। ଦେଶରେ ଏସ୍ସି/ଏସ୍ଟି ନିର୍ଯାତନା ହାରଠାରୁ ଓଡ଼ିଶାରେ ନିର୍ଯାତନା ହାର ଅଧିକ। ୧୭ଟି ଜିଲ୍ଲାରେ ଅନ୍ବେଷା ଯୋଜନା ଜାରି ରହିବ ବୋଲି ବିଭାଗୀୟ ମନ୍ତ୍ରୀ ଘୋଷଣା କରୁ ନାହାନ୍ତି। ପ୍ରଦୀପ କୁମାର ଦିଶାରୀ କହିଥିଲେ, ଆଦିବାସୀଙ୍କ ପାଇଁ ହୋଇଥିବା ଯୋଜନା ବନ୍ଦ କରାନଯାଉ। ନଚେତ୍ ଲୋକ କହିବେ ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ଯୋଜନା ବନ୍ଦ କରିଦେଲେ।
ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି, ବଳକା ଚାଉଳକୁ ଏଫ୍ସିଆଇ ଉଠାଣ ଲାଗି କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ କମିଟି ଆଲୋଚନା କରନ୍ତୁ। ମିଲରମାନଙ୍କ ପାଖରେ ବଳକା ଚାଉଳ ରହିଥିବାରୁ ଧାନ ସଂଗ୍ରହରେ ବିଳମ୍ବ ହେଉଛି। ରୋମାଞ୍ଚ ରଞ୍ଜନ ବିଶ୍ବାଳ କହିଥିଲେ, ଧାନ ଏମ୍ଏସ୍ପି ୨୩୦୦ ଟଙ୍କା ଥିଲା, ବୋନସ୍ ୮୦୦ ଟଙ୍କା ଦେଉଥିଲ। ହେଲେ ଏବେ ଏମ୍ଏସ୍ପି ୬୯ଟଙ୍କା ବଢ଼ିଲା ବୋଲି କ’ଣ ବୋନସ୍ ୮୦୦ ଟଙ୍କାରୁ ୬୯ ଟଙ୍କା କମାଇଦେବ? ଏବେ ବି କଟ୍ନିଛଟ୍ନି ନାଁରେ ଚାଷୀଙ୍କୁ ନିର୍ଯାତନା ଦିଆଯାଉଛି। ବିଜେଡି ପକ୍ଷରୁ ମାଧବ ଚନ୍ଦ୍ର ଧଡ଼ା ଆଲୋଚନାରେ ଭାଗ ନେଇ ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ।
କଂଗ୍ରେସ ବିଧାୟକ ସିଏସ୍ ରାଜନ ଏକ୍କା କହିଲେ, ଏବର ସରକାର ବିରୋଧୀ ଦଳରେ ଥିବା ବେଳେ ପେସା ଆଇନ ଲାଗୁ ହେଉ ବୋଲି କହିଥିଲେ। କିନ୍ତୁ ଏବେ ସେଥି ପ୍ରତି ଗୁରୁତ୍ବ ଦେଉ ନାହାନ୍ତି। ଗ୍ରାମସଭା ବିନା ହଜାର ହଜାର ଏକର ଜମିକୁ କମ୍ପାନିଙ୍କୁ ଦିଆଯାଉଛି। ଗଞ୍ଜାମରେ ଦଳିତ ଭାଇଙ୍କୁ ଡ୍ରେନ୍ ପାଣି ପିଆଇଲେ, କିନ୍ତୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି। ଦାଶରଥୀ ଗମାଙ୍ଗୋ କହିଥିଲେ, ଗରିବ ଖଟିଖିଆଙ୍କ ପାଇଁ କଂଗ୍ରେସ ସରକାର ଯୋଜନା କରିଛି। ପୂର୍ବରୁ ବିଜେଡି ରଙ୍ଗ ମାରୁଥିବା ବେଳେ ବର୍ତ୍ତମାନର ସରକାର ରଙ୍ଗ ବଦଳାଉଛନ୍ତି।
Also read: ଥରୁଛି ଓଡିଶା: ରାଉରକେଲା ଏବଂ ଝାରସୁଗୁଡ଼ାରେ ୭ ଡିଗ୍ରୀ ଛୁଇଁଲା ପାରଦ, ଘୁ.ଉଦୟଗିରି ସବୁଠାରୁ ଥଣ୍ଡା