ଚିଲିକା: ଆଜି ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ଚିଲିକା ହ୍ରଦର ସାତପଡ଼ା ଓ ବାଲୁଗାଁ ରେଞ୍ଜରେ ବିଭିନ୍ନ ସ୍ଥାନରେ ୧୮ଟି ଟିମ୍ ନିୟୋଜିତ କରାଯାଇଛି । ଏଥିରେ ବାଲୁଗାଁ ବନଖଣ୍ଡର ୧୦ ଓ ସାତପଡ଼ାର ୮ଟି ଟିମ୍ ସାମିଲ ହୋଇଛନ୍ତି । ଡଲଫିନ୍ ଗଣନା ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ । ଏଥିରେ ଓୟୁଏଟିର ଛାତ୍ରଛାତ୍ରୀ, ପରିବେଶବିତ୍, ବନ ବିଭାଗ ଓ ସିଡିଏ କର୍ମଚାରୀ ସାମିଲ ହୋଇଛନ୍ତି । ଡଲଫିନ ଗଣନା ପାଇଁ ଡଙ୍ଗା ଓ ଭସାପୋଲ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଦୁଇଟି ମାଧ୍ୟମରେ ଗଣନା କରାଯିବ । ନିୟୋଜିତ ବୋଟ ଉପରେ ରହି ଡଲଫିନ୍ ଗଣନା କରିବେ । ସେହିପରି ପାଣି ଭିତରେ ଏକ ଡିଭାଇସ୍ ସାହାଯ୍ୟରେ ଡଲଫିନକୁ ରେକର୍ଡ କରାଯିବ । ଏହା ପରେ ଉଭୟ ରିପୋର୍ଟକୁ ଅନୁଧ୍ୟାନ କରାଯିବା ପରେ ଡଲଫିନ୍ ସଂଖ୍ୟା ଜଣାପଡ଼ିବ ବୋଲି ଗଣନା ଟିମର ଜଣେ ସଦସ୍ୟ କହିଛନ୍ତି ।