ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୩ ତାରିଖରୁ ଓଡ଼ିଶା ବିଧାନସଭାର ସପ୍ତଦଶ ଅଧିବେଶନର ତୃତୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ ପୂର୍ବରୁ ଗୃହର ସଦସ୍ୟମାନଙ୍କୁ ଚେତାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଗୃହ ଭିତରେ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ତାଗିଦ କରିଛନ୍ତି ବାଚସ୍ପତି ।
ବାଚସ୍ପତି କହିଛନ୍ତି ସରକାରୀ ଦଳ ବଜେଟ୍ ଉପସ୍ଥାପନ କରିବେ । ବିରୋଧୀ ଦଳ ଯଦି କୌଣସି ବିଷୟ ଉପସ୍ଥାପନ କରିବାକୁ ଅଛି ତେବେ ଗଠନମୂଳକ ପ୍ରସ୍ତାବ ଦେଲେ ଉପାଦେୟ ହେବ । କିନ୍ତୁ ଉଚ୍ଛୃଙ୍ଖଳିତ ବ୍ୟବହାରକୁ ଚଳିତ ଅଧିବେଶନରେ ବରଦାସ୍ତ କରାଯିବ ନାହିଁ ବୋଲି ତାଗିଦ କରିଛନ୍ତି । ବିରୋଧୀ ଦଳ ବିରୋଧୀ ଦଳର ଭୂମିକା ନିର୍ବାହ କରନ୍ତୁ । ରାଜ୍ୟ କିପରି ଆଗକୁ ବଢ଼ିବ ସେଥିପାଇଁ ଗଠନ ମୂଳକ ପ୍ରସ୍ତାବ ଦେବାକୁ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀମତି ପାଢ଼ୀ ।
ଆସନ୍ତା ଫେବୃଆରୀ ୧୩ ତାରିଖରୁ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବେ । ଏଥିରେ ୨୮ ଦିନ କାର୍ଯ୍ୟଦିବସ ରହିଥିବାବେଳେ ସେଥିରେ ୩ ଦିନ ସରକାର ଓ ୩ ଦିନ ବେସରକାରୀ କାର୍ୟ୍ୟଦିବସ ରହିଛି । ୧୭ ତାରିଖରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ ଆଗତ ହେବ । ଫେବୃଆରୀ ୨୦-୨୧ରେ ବଜେଟ୍ ସମ୍ପର୍କିତ ଆଲୋଚନା ହେବାର ରହିଛି ।