ଭୁବନେଶ୍ୱର: ବିଧାୟକମାନଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ ବାସଭବନର ନିର୍ମାଣ କାର୍ଯ୍ୟରେ କ୍ଷୁବ୍ଧ ହୋଇଛନ୍ତି ବାଚସ୍ପତି ସୁରମା ପାଢୀ । ଦୁଇ ଥର ସମୀକ୍ଷା କଲା ପରେ ବି କାମ ସନ୍ତୋଷଜନକ ନୁହେଁ ବୋଲି ସେ କହିଛନ୍ତି । ପୂର୍ବର କିଛି ନିଷ୍ପତ୍ତି କାରଣରୁ ନିର୍ମାଣ କାର୍ଯ୍ୟରେ ମନ୍ଥରତା ଆସିଛି । ଆମେ ଆଶା କରୁଛୁ ୨୦୨୫ ଶେଷ ସୁଦ୍ଧା ବିଧାୟକଙ୍କ ବହୁତଳ କ୍ଵାର୍ଟର କାମ ଶେଷ ହେବ । ଯେଉଁମାନଙ୍କ ପାଇଁ କ୍ଵାର୍ଟରର ବ୍ୟବସ୍ଥା ନାହିଁ ବା କ୍ଵାର୍ଟର ପାଇନାହାନ୍ତି, ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ । ନିର୍ଦ୍ଧାରିତ ତାରିଖ ଦିଆଯାଇଛି ।
ସେହିପରି ବାଚସ୍ପତିଙ୍କ ସ୍ୱରରେ ସ୍ୱର ମିଶାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ସେ ନିର୍ମାଣ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ବିଧାୟକମାନଙ୍କ ପାଇଁ ବହୁତଳ ପ୍ରାସାଦ କାର୍ଯ୍ୟରେ ଅସନ୍ତୁଷ୍ଟ । ୨୦୨୯ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା ଭଳି ଲାଗୁନି । ନିର୍ମାଣ କାର୍ଯ୍ୟକୁ ସରକାର ଏବଂ ବାଚସ୍ପତି ମନିଟର କରିବାକୁ ସେ ଦାବି କରିଛନ୍ତି ।
ଟେଣ୍ଡର ଯେଉଁ କମ୍ପାନିକୁ ଦିଆଯାଇଛି, ସେମାନେ ଧୀମା ଗତିରେ କାମ କରୁଛନ୍ତି । ବିଧାୟକମାନଙ୍କ ଅସୁବିଧା ହେଉଛି । ଟେଣ୍ଡର ଅନ୍ୟମାନଙ୍କୁ ଦିଅନ୍ତୁ । ଷ୍ଟେଟ ଗେଷ୍ଟ ହାଉସରେ ଆମେ ରହୁଛୁ ବୋଲି ସେ କହିଛନ୍ତି ।