ଭୁବନେଶ୍ୱର: ୧୬ ବର୍ଷ ପରେ ଏଥର ସଅଳ କେରଳ ଛୁଇଁଛି ମୌସୁମୀ । ତେଣୁ ଓଡ଼ିଶାକୁ ବି ଏଥର ଖୁବଶୀଘ୍ର ଆସିବ ମୌସୁମୀ । ଜୁନ୍ ପ୍ରଥମ ସପ୍ତାହରେ ଏହା ଓଡ଼ିଶା ଛୁଇଁପାରେ ବୋଳି ଆକଳନ କରାଯାଉଛି । ସାଧାରଣତଃ କେରଳରେ ମୌସୁମୀ ବାୟୁ ଛୁଇଁବାର ୧୦ ଦିନ ପରେ ଏହା ଓଡ଼ିଶାକୁ ପ୍ରବେଶ କରିଥାଏ। ମେ ଶେଷ କିମ୍ବା ଜୁନ୍ ମାସର ପ୍ରଥମ ସପ୍ତାହ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ଅଧିକ ସମ୍ଭାବନା ରହିଥିବା କୁହାଯାଉଛି ।
ଚଳିତ ବର୍ଷ ଧାର୍ଯ୍ୟ ସମୟ ପୂର୍ବରୁ ମୌସୁମୀର ଆଗମନ ହୋଇଛି । ପାଣିପାଗ ବିଭାଗ ଆକଳନ ଅବଧିର ୮ ଦିନ ପୂର୍ବରୁ ଗତକାଲି ୨୪ ମଇରେ ମୌସୁମୀ କେରଳ ଛୁଇଁଛି । ଗତ ୧୬ ବର୍ଷ ମଧ୍ୟରେ ଏହା ପ୍ରଥମ ଘଟଣା । କେରଳରେ ମୌସୁମୀ ଜନିତ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ ଓଡ଼ିଶାକୁ ମଧ୍ୟ ମୌସୁମୀ ବାୟୁ ସଅଳ ଆସିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । ସେପଟେ ୨୭ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟିହେବ ଲଘୁଚାପ କ୍ଷେତ୍ର । ପଶ୍ଚିମ- କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲୋ ପ୍ରେସର ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୨ଦିନରେ ଏହା ଅଧିକ ଘନୀଭୂତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।