ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ଠିକ ସମୟରେ କାର୍ଯ୍ୟାଳୟକୁ ଆସିବେ ଓ ଯିବେ କର୍ମଚାରୀ । ସମସ୍ତ କର୍ମଚାରୀଙ୍କୁ ସର୍ବନିମ୍ନ ୭ ଘଣ୍ଟା ୩୦ ମିନିଟ୍ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପଡିବ । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସମସ୍ତ କର୍ମଚାରୀଙ୍କ ବାୟୋମେଟ୍ରିକ ବାଧ୍ୟତାମୂଳକ କରାଯାଇଛି। କେଉଁ ସମୟରେ କର୍ମଚାରୀ କାର୍ଯ୍ୟଳୟରେ ପହଞ୍ଚିଲେ କେତେବେଳେ କାର୍ଯ୍ୟଳୟରୁ ବାହାରିଲେ ସମସ୍ତ ତଥ୍ୟ ବାୟୋମେଟ୍ରିକ ମାଧ୍ୟମରେ ମିଳିବ ।
ସକାଳ ୧୦ଟା ସୁଦ୍ଧା ଅଫିସ୍ ଆସିବେ ଏବଂ ସନ୍ଧ୍ୟା ୫ଟା ୩୦ ପରେ ଘରକୁ ଯିବେ । ସର୍ବନିମ୍ନ ୭ ଘଣ୍ଟା ୩୦ମିନିଟ୍ କାର୍ଯ୍ୟାଳୟରେ କର୍ମଚାରୀ ରହିବେ । କାର୍ଯ୍ୟ ସମୟ ୪ ଘଣ୍ଟାରୁ କମ୍ ହେଲେ ଗୋଟିଏ ଦିନର ଛୁଟି କାଟି ଦିଆଯିବ । ଗୋଟିଏ ମାସରେ ତିନି ଦିନ ବିଳମ୍ବରେ ଉପସ୍ଥିତ ରହିଲେ ଗୋଟିଏ ଦିନର ଛୁଟି ବାତିଲ ହେବ । କର୍ମଚାରୀମାନେ ମନ ମୁତାବକ ଦିନ ୧୧ଟା ପରେ ଅଫିସରେ ପହଞ୍ଚୁଥିଲେ ପରେ ସନ୍ଧ୍ୟା ୫ଟା ପୂର୍ବରୁ କାର୍ଯ୍ୟଳୟରୁ ବାହାରି ଆସୁଥିଲେ । ଏବେ ନୂଆ ନିୟମ ଲାଗୁ ହେବା ପରେ ଠିକ ସମୟରେ କାର୍ଯ୍ୟଳୟକୁ ଆସିବେ କର୍ମଚାରୀ । ଦିନ ୧୧ଟା ପରେ ଅଫିସକୁ ଆସିଲେ ସେଦିନ ଛୁଟି ବୋଲି ଧରାଯିବ । ଯଦି ହଠାତ କୌଣସି କର୍ମଚାରୀଙ୍କ ସ୍ୱାସ୍ଥ୍ୟ କିମ୍ବା କିଛି ଜରୁରୀ କାମ ରୁହେ । ତେବେ ସେମାନେ ଉପରିସ୍ଥ କର୍ମଚାରୀଙ୍କୁ ଲିଖିତ ଆକାରରେ ଜଣାଇବେ ।