ଭୁବନେଶ୍ୱର: ଆସନ୍ତା ଜୁନ ୨୭ ତାରିଖରେ କୋଟି ଓଡ଼ିଆଙ୍କ ମଉଡମଣୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଘୋଷଯାତ୍ରା ଆରମ୍ଭ ହେବ । ନଅ ଦିନ ପାଇଁ ରତ୍ନ ସିଂହାସନ ଛାଡି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ଯିବେ ମହାପ୍ରଭୁ । ସବୁ ଲୀଳା ଖେଳା ସାରି ଆସନ୍ତା ଜୁଲାଇ ୮ ତାରିଖରେ ମହାପ୍ରଭୁ ନୀଳାଦ୍ରି ବିଜେ କରିବେ । ଏହି ସମୟ ମଧ୍ୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସାରିବା ପାଇଁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ଠାକୁରଙ୍କ ଚାପ ଖେଳ ପାଇଁ ମରାମତି କାମ ଏବେ ବନ୍ଦ ରହିଛି । ଠାକୁର ରଥକୁ ଆସିଲେ ମରାମତି କାମ ଆରମ୍ଭ ହେବ ଓ ସରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଏଏସଆଇ ଡ଼ିଜି ଏବଂ ତାଙ୍କ ଟିମ୍ ଶ୍ରୀ ମନ୍ଦିର ମରାମତି କାମ ସହ ରତ୍ନଭଣ୍ଡାର କାମର ସମୀକ୍ଷା କରିଛନ୍ତି । ରଥଯାତ୍ରାରେ ଗର୍ଭଗୃହରେ ଯେଉଁ ମରାମତି କାମ ହୁଏ ତାର ସମୀକ୍ଷା ହୋଇଛି । ଠାକୁରଙ୍କ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଆଯାଉଛି । ଅସ୍ଥାୟୀ ଭାବରେ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟକୁ ବନ୍ଦ କରାଯାଇଥିଲା । ଏହା ପୁଣି ଠାକୁର ରଥକୁ ଆସିଲେ କାମ ଆରମ୍ଭ ହେବା ସହିତ ନୀଳାଦ୍ରି ବିଜେ ଭିତରେ ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।