କଟକ: ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ପଡ଼ିଲା ମହଙ୍ଗା । ଶତ୍ରୁଦେଶକୁ ସମର୍ଥନ କରିବା ଅଭିଯୋଗରେ କଟକ ସହରର ଚାଉଳିଆଗଞ୍ଜ ପୁଲିସ ୨ଜଣଙ୍କୁ ଗିରଫ କରିଛି। ‘ପାକିସ୍ତାନ ଜିନ୍ଦାବାଦ୍’ କହିବା ଏବଂ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରିଛି ପୋଲିସ । ଦୁଇ ଜଣ ଅଭିଯୁକ୍ତ ହେଲେ ୨୭ ବର୍ଷିୟ ସୌରଭ କୁମାର ସାହୁ ଓ ୨୮ ବର୍ଷିୟ ଗୌତମ ଲେଙ୍କା। ଉଭୟଙ୍କ ଘର ମହାନଦୀ ବିହାର ଅଞ୍ଚଳରେ ବୋଲି ଜଣାପଡିଛି ।
ସୂଚନା ମୁତାବକ, ଗତ ୧୫ ତାରିଖ ଦିନ ମହାନଦୀ କୁଳ ଗାନ୍ଧିପଲ୍ଲୀ ଗଡା ନିକଟରେ ଏହି ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଦିଆଯାଇଥିଲା । ଅଭିଯୁକ୍ତ ସୌରଭ “ପାକିସ୍ଥାନ ଜିନ୍ଦାବାଦ” ନାରା ଦେଇଥିଲା ଏବଂ ଗୌତମ ଏହାକୁ ମୋବାଇଲରେ ରେକର୍ଡ କରିଥିଲା । ଏହା ପରେ ଉକ୍ତ ଭିଡିଓକୁ ଭାଇରାଲ୍ କରିଥିଲେ ଅଭିଯୁକ୍ତ ।
ପହଲଗାମ ଆକ୍ରମଣ ଓ ଆକ୍ରମଣ ସିନ୍ଦୂରକୁ ନେଇ ଉଭୟ ଭାରତ ଓ ପାକିସ୍ତାନରେ ଉତ୍ତେଜନା ପରିସ୍ଥିତି ଥିବା ବେଳେ ସାଧାରଣ ଜନତା ଭାଇରାଲ ଭିଡିଓକୁ ତୀବ୍ର ଆଲୋଚନା କରିଥିଲେ। ଏନେଇ ଚାଉଳିଆଗଞ୍ଜ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କର ଠାରୁ ୨ଟି ମୋବାଇଲ ଜବତ କରିଛି। ପୂର୍ବରୁ ସୌରଭ ନାଁ ରେ ଚାଉଳିଆଗଞ୍ଜ ଥାନାରେ ଦୁଇଟି ମାମଲା ଥିବା ସୂଚନା ଦେଇଛି କମିଶନରେଟ ପୋଲିସ ।