ପୁରୀ: ଶ୍ରଦ୍ଧାଳୁଙ୍କ ପାଇଁ ଆସୁଛି ବଡ଼ ଖବର। ଖୁବଶୀଘ୍ର ଶ୍ରୀମନ୍ଦିରରେ ସ୍ଲଟ୍ ବୁକିଂ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଭିଡ଼କୁ ନିୟନ୍ତ୍ରଣ କରିବା ସହିତ ଶ୍ରଦ୍ଧାଳୁଙ୍କୁ ସୁବିଧାଜନକ ଓ ସୁସଙ୍ଗଠିତ ଭାବରେ ଦର୍ଶନ କରାଇବା ଉଦ୍ଦେଶ୍ୟରେ ଏହି ନୂତନ ପ୍ରଣାଳୀକୁ ଆଣିବା ପାଇଁ ଯୋଜନା ଚାଲିଛି।
ଏହି ନୂଆ ବ୍ୟବସ୍ଥା ଅନୁସାରେ, ଶ୍ରଦ୍ଧାଳୁମାନେ ପୂର୍ବରୁ ସ୍ଲଟ୍ ବୁକିଂ କରି ନିର୍ଦ୍ଧିଷ୍ଟ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ସେଥିପାଇଁ ସ୍ୱତନ୍ତ୍ର ହୋଲଡିଂ ଏରିଆ ବ୍ୟବସ୍ଥା କରାଯିବ, ଯେଉଁଠାରେ ସ୍ଲଟ୍ ବୁକିଂ କରିଥିବା ଭକ୍ତମାନେ ଅପେକ୍ଷା କରିବେ ଏବଂ ପରେ ନିର୍ଦ୍ଧିଷ୍ଟ ସମୟରେ ଦର୍ଶନ ପାଇଁ ପ୍ରବେଶ କରିବେ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାରମ୍ପରିକ ଲାଇନ୍ ବ୍ୟବସ୍ଥାକୁ ମଧ୍ୟ ଜାରି ରଖାଯିବ। ଅର୍ଥାତ୍, ସ୍ଲଟ୍ ବୁକିଂ ସହିତ ସାଧାରଣ ଲାଇନ୍ ଦର୍ଶନ ବ୍ୟବସ୍ଥା ମଧ୍ୟ ସମାନ ଭାବେ ଚାଲିବ, ଯାହା ଫଳରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ସୁବିଧା ମିଳିବ।
ପ୍ରଥମେ ଏହି ସ୍ଲଟ୍ ବୁକିଂ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବରେ (ଟ୍ରାଏଲ) ଆରମ୍ଭ କରାଯିବ। ଏନେଇ ମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଥିବା ବେଳେ, ମ୍ୟାନେଜିଂ କମିଟିର ବୈଠକରେ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ଏହି ପଦକ୍ଷେପ ଲାଗୁ ହେଲେ, ଶ୍ରୀମନ୍ଦିରରେ ଦର୍ଶନ ପ୍ରଣାଳୀରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ମନେ କରାଯାଉଛି। ଭିଡ଼ ହ୍ରାସ ପାଇବା ସହିତ ଭକ୍ତମାନେ ଅଧିକ ଶାନ୍ତିପୂର୍ଣ୍ଣ ଭାବରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।
ଅଧିକ ପଢନ୍ତୁ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି; ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ