ପୁରୀ: ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରରୁ ତିନୋଟି ରତ୍ନ ଅଳଙ୍କାର ହଜିବାକୁ ନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରି ଶ୍ରୀଜଗନ୍ନାଥ ସେନା । ଘଟଣାର ତଦନ୍ତ କରାଯାଇ ଦୋଷୀ ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।
ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି ଯେ ବାହାର ରତ୍ନଭଣ୍ଡାରରୁ ତିନୋଟି ରତ୍ନ ଅଳଙ୍କାର ଗାଏବ ହେଲା କେମିତି। ଯେତେବେଳେ ବାହାର ରତ୍ନଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା ସେହି ସମୟରେ କାହିଁକି ଗଣତି କରାଯାଇନଥିଲା ଏଣୁ ରତ୍ନ ଅଳଙ୍କାର ଗାଏବ ହେବା ଘଟଣାକୁ ନେଇ ଏବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଏବେ ବେଶ୍ ଆଘାତ ଦେଇଛି । ରତ୍ନ ଅଳଙ୍କାର ଗାଏବ ହୋଇନାହିଁ ଏହାକୁ ଚୋରି କରାଯାଇଥିବା ସନ୍ଦେହ ହେଉଛି ବୋଲି କହିଛନ୍ତି ପ୍ରିୟଦର୍ଶନ।
ରତ୍ନ ଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଶ୍ୱନାଥ ରଥ ବାହାର ରତ୍ନଭଣ୍ଡାରରୁ ତିନୋଟି ରତ୍ନ ଅଳଙ୍କାର ଗାଏବ ହୋଇଥିବା କଥା ନିଜେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । କିନ୍ତୁ ଏହା ଚର୍ଚ୍ଚାର ପରିସରକୁ ଆସିବା ପରେ ଏହି ଘଟଣାକୁ ଚପାଇ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ କରୁଛି। ଏଣୁ ସରକାର ସମସ୍ତ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ନଚେତ୍ ଆଗାମୀ ଦିନରେ ଏହି ଘଟଣାର ତଦନ୍ତ ପାଇଁ ସିବିଆଇରେ ଏତଲା ଦିଆଯିବ। ରାଜରାସ୍ତାରେ ଏହି ଘଟଣାକୁ ନେଇ ମଧ୍ୟ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛି ଶ୍ରୀଜଗନ୍ନାଥ ସେନା।