ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ସୃଷ୍ଟି ହେଲା ପ୍ରଶ୍ନବାଚୀ । ନିର୍ଭୟରେ ଦକ୍ଷିଣ ଦ୍ୱାର ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିରକୁ ୪ ଯୁବକ ପଶୁଛନ୍ତି । ଯାହାର ଭିଡିଓ ଭାଇରାଲ ହେବା ପରେ ଶ୍ରୀମନ୍ଦିର କେତେ ସୁରକ୍ଷିତ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ଗତକାଲି ମହାପ୍ରଭୁଙ୍କର ନୀଳାଦ୍ରି ବିଜେ ହେଲା । ପୁରୀରେ ସୁରକ୍ଷା ପାଇଁ ବହୁ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲା ।
ଏହି ସମୟରେ କେମିତି ୪ ଜଣ ଯୁବକ ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଶ୍ରୀମନ୍ଦିରର ଚାରିଦ୍ବାର ପଟେ ଭକ୍ତଙ୍କ ପ୍ରବେଶ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇ ଯାଞ୍ଚ କରାଯାଉଛି । କିନ୍ତୁ ନିୟମକୁ ନ ମାନି ଗଳାବାଟ ଦେଇ ଲୋକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ପରେ ପୁରୀ ଏସ୍ପି ପିନାକ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ଯେ, "ମେଘନାଦ ପାଚେରୀ କଡ଼ରେ ପଡିଥିବା ମାଟି ସାହାଯ୍ୟରେ ଶ୍ରୀମନ୍ଦିରକୁ ୪ ଯୁବକ ପଶିଥିଲେ । ମେଘନାଦ ପାଚେରୀ କଡ଼ରେ କିଏ ମାଟି ପକାଇଥିଲା ତଦନ୍ତ ହେବ । ତଦନ୍ତ ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ" ।