ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନରଙ୍କୁ ମାଡ଼ ମରା ମାମଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଆଶ୍ୱସ୍ତି ମିଳିଛି । ଗୁରୁବାର ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ ଜଗନ୍ନାଥଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । ୩୦ ହଜାର ଟଙ୍କା ଏବଂ ଜଣେ ଜାମିନଦାରଙ୍କ ବଦଳରେ ମାନ୍ୟବର ଅଦାଲତ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ୫ ଅଭିଯୁକ୍ତଙ୍କ ଶୁଣାଣି ଆସନ୍ତା ୧୪ ତାରିଖକୁ ଧାର୍ଯ୍ୟ ହୋଇଛି ।
ଜଗନ୍ନାଥଙ୍କ ଓକିଲ କହିଛନ୍ତି, ଜଗନ୍ନାଥ ପ୍ରଧାନ ସିଧାସଳଖ ଭାବେ ଏହି ମାମଲାରେ ଜଡ଼ିତ ନ ଥିଲେ । ସେ ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ । କିନ୍ତୁ ତାଙ୍କ ନାଁରେ ଅଭିଯୋଗ ହୋଇଥିବାରୁ ପୋଲିସ ଗିରଫ କରିଥିଲା । ତାଙ୍କ ବିରୋଧରେ ଦଫା ୧୨୧ (୨) ଲାଗିଥିବାରୁ ଗିରଫ ହେବା ଦିନ ଜାମିନ ନାମଞ୍ଜୁର ହୋଇଥିଲା । ଅନ୍ୟ ସମସ୍ତ ଦଫା ଜାମିନ ଯୋଗ୍ୟ ଥିଲା । ସେଥିପାଇଁ ଆଜି ତାଙ୍କୁ ଜାମିନ ମିଳିଛି ।
ବର୍ତ୍ତମାନ ଜଗନ୍ନାଥ ପ୍ରଧାନ ଝାରପଡ଼ା ଜେଲରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ସମସ୍ତ କାଗଜପତ୍ର କାମ ପରେ ଆଜି ସନ୍ଧ୍ୟା ସୁଦ୍ଧା ଜଗନ୍ନାଥ ଜେଲରୁ ମୁକୁଳିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଜୁନ ୩୦ରେ ବିଏମସି କାର୍ଯ୍ୟାଳୟ ପରିସରରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମରାଯାଇଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ଖାରବେଳନଗର ଥାନା ପୋଲିସ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା । ତେବେ ଓଏଏସ୍ ସଂଘ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ କଲମଛାଡ଼ ଆନ୍ଦୋଳନ କରିଥିଲେ । ଫଳରେ ଜଗନ୍ନାଥ ପ୍ରଧାନ ଜୁଲାଇ ୩ ତାରିଖ ରାତିରେ କମିଶନରେଟ୍ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ । ପୋଲିସ ତାଙ୍କୁ ଗିରଫ କରିବା ପରେ ସେ ବିଚାରବିଭାଗୀୟ ହାଜତକୁ ଯାଇଥିଲେ । ଜଗନ୍ନାଥଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତାର ୧୨୧(୧), ୧୨୧(୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪, ୩୩୩, ୩୫୧ (୨), ୫୪, ୬୧(୨) ଏବଂ ୬୨ ଦଫା ଲାଗିଛି ।