ଭୁବନେଶ୍ୱର: ବର୍ଷା ଜନିତ ଜଳବନ୍ଦୀ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଏମସି ପକ୍ଷରୁ ରାପିଡ୍ ଆକ୍ସନ ଟିମ୍(ରାଟ୍) ଗଠନ ହୋଇଛି । ମଙ୍ଗଳବାର ଭୁବନେଶ୍ୱର ମେୟର ସୁଲୋଚନ ଦାସ ଏହାର ଶୁଭାରମ୍ଭ କରିଛନ୍ତି । ମେୟରଙ୍କ ସହ ଡେପୁଟି ମେୟର, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ସିଟି ଇଂଜିନିୟର, ଡ୍ରେନେଜ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ବିଭାଗର ସମସ୍ତ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରବଳ ବର୍ଷା ହେଲେ ଯଦି କୌଣସି ସ୍ଥାନରେ ଡ୍ରେନ ଜାମ୍ ହେଲା କିମ୍ବା ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଲା, ତେବେ ଏହି ଟିମ୍ ଖବର ପାଇବା ମାତ୍ରେ ଘଟଣା ସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବ । ବିଏମ୍ ସିର ତିନୋଟି ଜୋନ୍ ପାଇଁ ୩ ଟି ଟିମ୍ ହୋଇଛି । ପ୍ରତି ଟିମରେ ୪ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ବର୍ଷା ଜନିତ ଜଳ ନିଷ୍କାସନ ପାଇଁ ଯାହା ଦରକାର ସେ ସମସ୍ତ ପ୍ରକାର ଜିନିଷ ତଥା ଯନ୍ତ୍ରପାତି ଏବଂ ଗାଡି ମଧ୍ୟ ସେମାନଙ୍କୁ ଯୋଗାଇ ଦିଆଯାଇଛି ।
ଡ୍ରେନ ଚୋକ ହେଲେ ତାକୁ ସଫା କରିବା, ଆବଶ୍ୟକ ସ୍ଥଳେ ସ୍ଲାବ ଭାଙ୍ଗିବା ପାଇଁ ବ୍ରେକର ମେସିନ୍ ମେସିନ୍ ଲଗାଇବା, ଜେସିବି ଲଗାଇ ବର୍ଜ୍ୟ ପରିଷ୍କାର କରିବା, ପାଣି ଯିବା ପାଇଁ ରାସ୍ତା ସୁଗମ କରିବା ଆଦି କାମ ପାଇଁ ସମସ୍ତ ପ୍ରକାର ଯନ୍ତ୍ରପାତି ପ୍ରଦାନ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିଃଶୁଳ୍କ ଫୋନ୍ ନମ୍ବର ୧୯୨୯ କାର୍ଯ୍ୟ କରୁଛି । ବର୍ଷା ସମୟରେ ଜଳବନ୍ଦୀ ହେଲେ ଜନସାଧାରଣ ଏହି ଟୋଲ୍ ଫ୍ରି ନମ୍ବରରେ ଜଣାଇବା ପାଇଁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି ।