ଭୁବନେଶ୍ୱର: ମୋହନ ସରକାରଙ୍କୁ ଖୁଲମଖୁଲା ଧମକ ଦେଇଛନ୍ତି ପଶ୍ଚିମବଙ୍ଗ କ୍ରୀଷ୍ଣାନଗର ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର । ଝାରସୁଗୁଡ଼ା ଅଟକଥିବା ବଙ୍ଗୀୟ ଶ୍ରମିକଙ୍କୁ ନ ଛାଡ଼ିଲେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ସହିତ ବଙ୍ଗୀୟ ପର୍ୟ୍ୟଟକଙ୍କୁ ଓଡ଼ିଶା ଆସିବା ବନ୍ଦ କରିଦେବେ ବୋଲି ଧମକ ଦେଇଛନ୍ତି ମହୁଆ ।
ମହୁଆ ଏକ ଭିଡ଼ିଓ ଜାରି କହିଛନ୍ତି ଯେ ଝାରସୁଗୁଡ଼ାରେ ୪୪୦ ଜଣ ବଙ୍ଗୀୟ ଶ୍ରମିକଙ୍କୁ ବେଆଇନଭାବେ ଅଟକ ରଖାଯାଇଛି । ଯେଉଁଥିରେ ତାଙ୍କ ନିର୍ବାଚନ ମଣ୍ଡଳୀ କ୍ରୀଷ୍ଣାନଗରର ନଦିଆ ଜିଲ୍ଲା ପାଣିଘାଟ ପଞ୍ଚାୟତ ମିର୍ଜାପୁର ଗ୍ରାମର ୨୩ ଜଣ ଶ୍ରମିକ ରହିଛନ୍ତି । ସେମାମନଙ୍କ ନିକଟରେ ଯଥେଷ୍ଟ ପ୍ରମାଣ ପତ୍ର ରହିଛି । କିନ୍ତୁ ସେମାନଙ୍କୁ ବେଆଇନଭାବେ ଅଟକ ରଖାଯାଇଛି । ଅଟକ ଶ୍ରମିକଙ୍କୁ ଯଥାଶୀଘ୍ର ମୁକ୍ତ କରିବାକୁ ଦାବି କରିଛନ୍ତି ମହୁଆ । ଯଦି ସେମାନଙ୍କୁ ଛଡ଼ା ନ ଯାଏ ସେ କୋର୍ଟରେ ମାମଲା ରୁଜୁ କରିବା ସହିତ ନିଜେ ଘଟଣା ସ୍ଥଳକୁ ଆସିବେ । ଏ ନେଇ ପଦକ୍ଷେପ ନେବାକୁ ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ ଏବଂ ଡିଜିପି କହିଛନ୍ତି ।
ଅନ୍ୟପକ୍ଷରେ ବିଜେଡ଼ିର ଗୁଣଗାନ କରି ବିଜେପି ଉପରେ ମଧ୍ୟ ଖୁବ ବର୍ଷିଛନ୍ତି ମହୁଆ । ବିଜେଡ଼ିର ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନରେ ସେ ଏପରି ପରିସ୍ଥିତି ଦେଖି ନ ଥିଲେ । କିନ୍ତୁ ବିଗତ ଏକ ବର୍ଷ ହେବ ବିଜେପି ସରକାର ଆସିବା ପରେ ଦୈନିକ ଏପରି ଘଟଣା ଘଟୁଛି ।
ସେହିପରି ସେ ଆହୁରି କହିଛନ୍ତି ଯେ ଓଡ଼ିଶାର ପର୍ୟ୍ୟଟନର ୫୦ ପ୍ରତିଶତ ଆୟ ବଙ୍ଗୀୟ ପର୍ୟ୍ୟଟକଙ୍କ ଦ୍ୱାରା ଦେଉଛି । ଯଦି ସେମାନେ ଓଡ଼ିଶା ଆସିବା ବନ୍ଦ କରିଦେବେ କିମ୍ବା ହୋଟେଲରେ ରହିବା ବନ୍ଦ କରିଦେବେ ତାହା ହେଲେ କଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ଏଥିପ୍ରତି ଧ୍ୟାନ ଦେବାକୁ ସେ ରାଜ୍ୟ ସରକାରଙ୍କୁ କହିଛନ୍ତି ।
ସେପଟେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସମସ୍ତ ଶ୍ରମିକଙ୍କୁ ଆଇନ ମୁତାବକ ସସମ୍ମାନେ ଏକ ମହାବିଦ୍ୟାଳୟରେ ରଖାଯାଇଛି । ସମସ୍ତ କାଗଜ ପତ୍ର ଯାଞ୍ଚ କରାଯାଉଛି । ଯେଉଁମାନଙ୍କର କାଗଜପତ୍ର ଠିକ୍ ଥିବ ସେମାନଙ୍କୁ ଛାଡ଼ି ଦିଆଯିବ । ଯେଉଁମାନଙ୍କର କାଗଜପତ୍ର ଠିକ୍ ନ ଥିବ ସେମାନଙ୍କ ବିରୁଦ୍ଧରେ ଭାରତ ସରକାରଙ୍କ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅନ୍ୟପକ୍ଷେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି, ଦୁଇ ଦିନ ତଳେ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରୁ ୪୪୪ ଜଣ ବଙ୍ଗୀୟ ଶ୍ରମିକଙ୍କ ଅଟକ ରଖାଯାଇଛି । ସେଥିରେ ଯେଉଁ ବାଂଲାଦେଶୀ ଅବୈଧ ଚିହ୍ନଟ ହେବେ ସେମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।