ଭୁବନେଶ୍ୱର: ଝାରପଡ଼ା ଜେଲରୁ ମୁକୁଳିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମରା ମାମଲାରେ ଗୁରୁବାର ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ ଜଗନ୍ନାଥଙ୍କ ଜାମିନ ଆବେଦନକୁ ମଞ୍ଜୁର କରିବା ପରେ ସେ ମୁକ୍ତ ହୋଇଛନ୍ତି । ୩୦ ହଜାର ଟଙ୍କା ଏବଂ ଜଣେ ଜାମିନଦାରଙ୍କ ବଦଳରେ ମାନ୍ୟବର ଅଦାଲତ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଜେଲରୁ ମୁକୁଳିବା ପରେ ତାଙ୍କ ସମର୍ଥକମାନେ ବିପୁଳ ସମ୍ବର୍ଦ୍ଧନା ଦେଇ ସ୍ୱାଗତ କରିଛନ୍ତି । ଫୁଲ ତୋଡ଼ା ଦେଇ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ।
ଜଗନ୍ନାଥ ପ୍ରଧାନ ଜେଲରୁ ମୁକୁଳିବା ପରେ ପ୍ରତିକ୍ରିୟାରେ କହିଛନ୍ତି ଯେ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ବିଫଳ କରିବା, ବନ୍ୟା ସମୟରେ କିପରି ଲୋକଙ୍କ ପାଖରେ ପହଁଚି ପାରିବ ନାହିଁ ଏବଂ ମହାପ୍ରଭୁଙ୍କ ରଥଯାତ୍ରାକୁ ସଫଳ ରୂପାୟନ କିପରି ହୋଇ ପାରିବ ନାହିଁ ସେଥିପାଇଁ ବିରୋଧି ଦଳ ଷଡ଼ଯନ୍ତ୍ର କରିଥିଲେ । ଓଏଏସ୍ ଅଧିକାରୀମାନେ ଷଡ଼ଯନ୍ତ୍ରର ଶିକାର ହୋଇଥିଲେ । ସେ ଜଣେ ଶୃଙ୍ଖଳିତ କର୍ମୀ । ଦଳ ସହିତ ସବୁବେଳେ କାମ କରିଛନ୍ତି ଏବଂ ଆଗକୁ ମଧ୍ୟ ଜାରି ରଖିବେ । ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ସେ ଏଭଳି କାର୍ଯ୍ୟକୁ କେବେବି ପ୍ରଶ୍ରୟ ଦେବେ ନାହିଁ । ପ୍ରତ୍ୟକ୍ଷ କିମ୍ବା ପ୍ରରୋକ୍ଷ ଭାବରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ଆଗାମୀ ଦିନରେ କିଭଳି ଦଳକୁ ସୁସଙ୍ଗଠିତ କରାଯିବ ସେଥିପ୍ରତି ସେ ଧ୍ୟାନ ଦେବେ ବୋଲି କହିଛନ୍ତି ।
ଜଗନ୍ନାଥଙ୍କ ଓକିଲ କହିଛନ୍ତି, ଜଗନ୍ନାଥ ପ୍ରଧାନ ସିଧାସଳଖ ଭାବେ ଏହି ମାମଲାରେ ଜଡ଼ିତ ନ ଥିଲେ । ସେ ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ । କିନ୍ତୁ ତାଙ୍କ ନାଁରେ ଅଭିଯୋଗ ହୋଇଥିବାରୁ ପୋଲିସ ଗିରଫ କରିଥିଲା । ତାଙ୍କ ବିରୋଧରେ ଦଫା ୧୨୧(୨) ଲାଗିଥିବାରୁ ଗିରଫ ହେବା ଦିନ ଜାମିନ ନାମଞ୍ଜୁର ହୋଇଥିଲା । ଅନ୍ୟ ସମସ୍ତ ଦଫା ଜାମିନ ଯୋଗ୍ୟ ଥିଲା । ସେଥିପାଇଁ ଆଜି ତାଙ୍କୁ ଜାମିନ ମିଳିଛି ।
ବର୍ତ୍ତମାନ ଜଗନ୍ନାଥ ପ୍ରଧାନ ଝାରପଡ଼ା ଜେଲରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ସମସ୍ତ କାଗଜପତ୍ର କାମ ପରେ ଆଜି ସନ୍ଧ୍ୟା ସୁଦ୍ଧା ଜଗନ୍ନାଥ ଜେଲରୁ ମୁକୁଳିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଜୁନ ୩୦ରେ ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମରାଯାଇଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ଖାରବେଳନଗର ଥାନା ପୋଲିସ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା । ତେବେ ଓଏଏସ୍ ସଂଘ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ କଲମଛାଡ଼ ଆନ୍ଦୋଳନ କରିଥିଲେ । ଫଳରେ ଜଗନ୍ନାଥ ପ୍ରଧାନ ଜୁଲାଇ ୩ ତାରିଖ ରାତିରେ କମିଶନରେଟ୍ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ । ପୋଲିସ ତାଙ୍କୁ ଗିରଫ କରିବା ପରେ ସେ ବିଚାରବିଭାଗୀୟ ହାଜତକୁ ଯାଇଥିଲେ । ଜଗନ୍ନାଥଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତାର ୧୨୧(୧), ୧୨୧(୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪, ୩୩୩, ୩୫୧ (୨), ୫୪, ୬୧(୨) ଏବଂ ୬୨ ଦଫା ଲାଗିଛି ।