ଭୁବନେଶ୍ୱର: ରାଜ୍ୟରେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି । ଉପରମୁଣ୍ଡରେ ବର୍ଷା କମିବା ଫଳରେ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ରୁ ଏବେ ହୀରାକୁଦର ୪ଟି ଗେଟ୍ ବନ୍ଦ କରାଯାଇଛି। ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସୁବର୍ଣ୍ଣରେଖାରେ ଜଳସ୍ତର ବଢି ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି। ହେଲେ ବିପଦ ସଂକେତ ଟପିବ ନାହିଁ। ଝାଡ଼ଖଣ୍ଡର ଅର୍ଦ୍ଧନିର୍ମିତ ଚାନ୍ଦିଲି ଡ୍ୟାମ ପାଇଁ ପାଣି ଓଡ଼ିଶା ଆସୁଛି। ବ୍ରାହ୍ମଣୀରେ ରେଙ୍ଗାଲିଠାରେ ଦୁଇଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ବୈତରଣୀ ଆଖୁଆପଦାରେ ସତର୍କ ସଂକେତରେ ଅଛି, ହେଲେ ବନ୍ୟା ନାହିଁ।
ମହାନଦୀ ଓ ତା'ର ଶାଖା ନଦୀର ଜଳସ୍ତର ବଢୁଛି ସେଥିପାଇଁ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ନଦୀ ଭିତରକୁ ଯିବା ପାଇଁ ବାରଣ ମଧ୍ୟ କରାଯାଇଛି । ନଦୀର ଜଳସ୍ତର କମିବା ପରେ ତଳିଆ ଅଞ୍ଚଳରେ ପାଣି କମିବ ବୋଲି ସୂଚନା ମିଳିଛି ।