ଭୁବନେଶ୍ୱର: ବିଷ ବଳୟ ଭିତରେ ରାଜଧାନୀ ଭୁବନେଶ୍ୱର । ଗୋଟିଏ ସପ୍ତାହ ଭିତରେ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହେବା ସହିତ ୬ ଜଣ ଗିରଫ ହେଲେଣି । ମୈତ୍ରୀବିହାର ଅଞ୍ଚଳରେ ବ୍ରାଉନସୁଗାର କାରବାରରେ କମିଶନରେଟ୍ ପୋଲିସ ୫ ଜଣଙ୍କୁ ଗୁରୁବାର ଗିରଫ କରିଛି । ସେମାନଙ୍କ ନିକଟରୁ ୨୫ ଲକ୍ଷ ଟଙ୍କା ମୂଲ୍ୟର ୨୫୪ ଗ୍ରାମ ବ୍ରାଉନସୁଗାର ମିଳିଛି । ଏହା ସହ ବାଇକ ଓ ୩ ହଜାର ଟଙ୍କା ଜବତ କରାଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ । ଗିରଫ ଅଭିଯୁକ୍ତ ରାଜେନ୍ଦ୍ର ମହାପାତ୍ରଙ୍କ ନାଁରେ ଦୁଇଟି ମାମଲା ରହିଛି । ଏମାନେ ଭୁବନେଶ୍ୱରରେ ଯୁବପୀଢ଼ିଙ୍କୁ ବ୍ରାଉନ ସୁଗାର ଯୋଗାଉଥିଲେ ବୋଲି କମିଶନର କହିଛନ୍ତି ।
ଗତ ସୋମବାର ମଧ୍ୟ ରଶ୍ମିରଞ୍ଜନ ଭୋଳ ନାମରେ ଜଣେ ଦଲାଲକୁ ଧରିଥିଲା ସ୍ପେଶାଲ୍ ଟିମ୍ । ତା ନିକଟରୁ ୨୫ ଲକ୍ଷ ଟଙ୍କାର ୨୬୫ ଗ୍ରାମ ଜବତ ହୋଇଥିଲା । ଏହା ସହିତ ଗୋଟିଏ ବୁଲେଟ୍ ଗାଡ଼ି ଏବଂ ୩୧ ହଜାର ଟଙ୍କା ମିଳିଥିଲା । ସେ ଖୋର୍ଦ୍ଧା ଜଳକିଆ ଅଞ୍ଚଳର ସ୍ଥାୟୀ ବାସିନ୍ଦା ହୋଇଥିବାବେଳେ ଜଟଣୀ ଗେଟ୍ ନିକଟରେ ତାକୁ ପୋଲିସ ଧରିଥିଲା । ସେ କଲେଜ ଛାତ୍ରମାନଙ୍କୁ ବ୍ରାଉନସୁଗାର ଯୋଗାଉ ଥିବା ବୋଲି ଜଣାପଡ଼ିଛି ।